ଅଭିନୟ ଏମିତି ଏକ ନିଶା ଯେଉଁଥି ପାଇଁ ଜଣେ ସଫଳ ବିଦ୍ୟାର୍ଥୀ ନିଜ ପାଠପଢ଼ାରେ ଡୋରି ବାନ୍ଧିବାକୁ ମଧ୍ୟ ପଶ୍ଚାତ୍ତାପ କରିନଥାଏ। ଅଗ୍ରଣୀ ଅଭିନେତ୍ରୀ କୃତିକା କାମରା ହେଉଛନ୍ତି ସେମାନଙ୍କ ଭିତରୁ ଜଣେ ଯିଏ ଭଲ ପଢୁଥିବା ସତ୍ତ୍ବେ ଏକ ଟିଭି ଧାରାବାହିକରେ ଅଭିନୟ କରିବାର ସୁଯୋଗକୁ ହାତଛଡ଼ା ନକରି ନିଜ ପାଠପଢ଼ାକୁ ବିଦାୟ ଦେବାକୁ ପସନ୍ଦ କରିଥିଲେ। ଫଳସ୍ବରୂପ ଦୀର୍ଘ ପନ୍ଦର ବର୍ଷ ଧରି ମନୋରଂଜନ ଦୁନିଆରେ ସେ ତିଷ୍ଠି ରହିବା ସହ ପନ୍ଦରରୁ ଅଧିକ ଟିଭି ଧାରାବାହିକରେ ଅଭିନୟ କରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ଏଥି ସହିତ ତିନିଟି ସିନେମା ଓ ଚାରିଟି ୱେବ୍ ଧାରାବାହିକରେ ମଧ୍ୟ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ଉତ୍ତରପ୍ରଦେଶର ବରେଲି ଠାରେ ୧୯୮୮ ଅକ୍ଟୋବର ୨୫ ତାରିଖରେ ଜନ୍ମ ନେଇଥିବା କୃତିକା ମଧ୍ୟପ୍ରଦେଶର ଅଶୋକନଗରେ ବଢ଼ିଥିଲେ। ଯୁକ୍ତ ଦୁଇ ପରେ ଫେସନ୍ ଟେକ୍ନୋଲୋଜିରେ ଡିଗ୍ରି କରୁଥିବା ବେଳେ ପ୍ରଥମ ବର୍ଷ ତାଙ୍କୁ ଏକ ଟିଭି ଧାରାବାହିକରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। ଏଥିରେ ସେ ଉତ୍ସାହିତ ହୋଇ ପାଠପଢ଼ା ବନ୍ଦ କରି ସୁଟିଂରେ ମାତିଗଲେ। ୨୦୦୭ରୁ ବର୍ଷେ ଯାଏ ପ୍ରସାରିତ ଧାରାବାହିକ ‘ୟହାଁ କେ ହମ୍ ସିକନ୍ଦର’ କୃତିକାଙ୍କ ପାଇଁ ସକାରାତ୍ମକ ଟିପ୍ପଣୀ ସଂଗ୍ରହ କରିଥିଲା।
ତେବେ ପରବର୍ତ୍ତୀ ଧାରାବାହିକ ‘କିତନି ମୋହବତ ହୈ’ରେ ତାଙ୍କ ଭୂମିକା ସମୀକ୍ଷକ ଓ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଏଥିପାଇଁ ତାଙ୍କୁ ୨୦୦୯ରେ ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମି (ଆଇଟା) ସମ୍ମାନ ମିଳିଥିଲା। ୨୦୧୨ରେ ‘କୁଛ୍ ତୋ ଲୋଗ କହେଙ୍ଗେ’ ଧାରାବାହିକ ମଧ୍ୟ ଅନୁରୂପ ଖ୍ୟାତି ଆଣିଦେଇଥିଲା। ଏହାପରେ ତାଙ୍କୁ ହାତବାନ୍ଧି ବସିବାର ଦୁର୍ଯୋଗ ଜୁଟିନାହିଁ। ପଛକୁ ପଛ ‘ଏକ ଥି ନାୟକ’, ‘ରିପୋର୍ଟର୍ସ’ ଓ ‘ପ୍ରେମ ୟା ପହେଲି-ଚନ୍ଦ୍ରକାନ୍ତା’ ଧାରାବାହିକ ଜରିଆରେ ସେ ଦର୍ଶକଙ୍କ ପାଖରେ ଜଣେ ଅପରିହାର୍ଯ୍ୟ ଅଭିନେତ୍ରୀ ପାଲଟିଗଲେ।
୨୦୧୫ରେ ‘ବେଷ୍ଟ ଗର୍ଲଫ୍ରେଣ୍ଡ’ ମାଧ୍ୟମରେ ସେ ସିନେଜଗତକୁ ପ୍ରବେଶ କରିଥିଲେ। ଶେଷ ହିନ୍ଦୀ ସିନେମା ‘ମିତ୍ରୋଁ’ରେ ତାଙ୍କୁ ମିଳିଥିବା ଅବନୀ ଚରିତ୍ରକୁ ସେ ଯଥାସାଧ୍ୟ ନ୍ୟାୟ ଦେଇଥିଲେ ହେଁ ତାହା ଦର୍ଶକଙ୍କ ଗ୍ରହଣୀୟତା ସାଉଁଟି ପାରିନଥିଲେ। ଏହା ପରେ ସେ ଟିଭି ଧାରାବାହିକରେ ମନୋନିବେଶ କରିବା ସହ ୱେବ୍ ଧାରାବାହିକରେ ପାଦ ରଖିଥିଲେ। ଗତବର୍ଷର ‘କୌନ ବନେଗି ଶିଖରବତି’ ଓ ‘ହସ୍ ହସ୍’ ଆଦି ୱେବ୍ ଧାରାବାହିକରେ କୃତିକାଙ୍କ ଭୂମିକାକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି। ଏଥି ସହିତ ‘ମେରା ଜହାଁ’ ଓ ‘ହୈ ପ୍ୟାର କ୍ୟା’ ପରି ସଂଗୀତ ଭିଡିଓରେ କୃତିକାଙ୍କ ନୃତ୍ୟାଭିନୟ ମଧ୍ୟ ଦର୍ଶକଙ୍କୁ ଖୁବ୍ ଆମୋଦିତ କରିପାରିଛି।