ଏହି ଓଡ଼ିଆ ଛବିରେ ମହାଶ୍ୱେତା ନଥିଲେ, ଅନ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ବନିଥିଲେ ପ୍ରଶାନ୍ତଙ୍କ ନାୟିକା

ଭୁବନେଶ୍ବର: ସେ ହେଲେ ଓଲିଉଡର ମୁଭି ମୋଗଲ୍ ଓ ସୋ’ମ୍ୟାନ୍। କିନ୍ତୁ ଓଲିଉଡରେ ସେ ‘ଭାଇନା’ ଭାବେ ଅଧିକ ପରିଚିତ। ଏଠାରେ ଯେଉଁ ଓଲିଉଡ ସେଲିବ୍ରିଟିଙ୍କ କଥା କୁହାଯାଉଛି, ସେ ହେଲେ ପ୍ରଶାନ୍ତ ନନ୍ଦ। ଆଜି ହେଉଛି ବହୁମୁଖୀ ପ୍ରତିଭାସଂପନ୍ନ କଳାକାର ପ୍ରଶାନ୍ତ ନନ୍ଦଙ୍କ ଜନ୍ମଦିନ। ସେ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଚିତ୍ରନାଟ୍ୟକାର, ସଂଳାପ ଲେଖକ, ସଂପାଦକ, ଗୀତିକାର, ଗାୟକ, ସଙ୍ଗୀତକାର, ସାହିତ୍ୟିକ ଓ ରାଜନେତା।


ପ୍ରଶାନ୍ତ ନନ୍ଦ ଶିଶୁ କଳାକାରଭାବେ ଓଡ଼ିଆ ସିନେଜଗତରେ ପ୍ରବେଶ କରିଥିଲେ। ସେ ‘ଦସ୍ୟୁ ରତ୍ନାକର’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବଡ଼ ହେବାପରେ ପରଦା ଉପରେ ନାୟକ ଭାବେ ଉଭା ହୋଇଥିଲେ ପ୍ରଶାନ୍ତ ନନ୍ଦ। ଦର୍ଶକ ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ନାୟକ ଭାବେ ଖୁବ୍ ପସନ୍ଦ କରିଥିଲେ।
ଏହାପରେ ଅଭିନେତା ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିଲେ। ସେ ପ୍ରଥମେ ‘ଶେଷ ଶ୍ରାବଣ’ର ନିର୍ଦ୍ଦେଶନା ଦେଇଥିଲେ। ୧୯୭୬ ମସିହାରେ ମୁକ୍ତିପ୍ରାପ୍ତ ହୋଇଥିବା ଏହି ସିନେମାରେ ପ୍ରଶାନ୍ତ ନନ୍ଦ ମଧ୍ୟ ନାୟକ ଭୂମିକାରେ ଅଭିନୟ କରିଥିଲେ। ତା’ପରେ ସେ ଉଭୟ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ସକ୍ରିୟ ହୋଇଥିଲେ। ଏହି ସିନେମାରେ ପ୍ରଥମ ଥର ଲାଗି ଦର୍ଶକ ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ମହାଶ୍ୱେତା ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।
ମହାଶ୍ୱେତାଙ୍କ ସହ ପ୍ରଶାନ୍ତଙ୍କର ଯୋଡ଼ିକୁ ‘ଶେଷ ଶ୍ରାବଣ’ରେ ଖୁବ୍ ପସନ୍ଦ କରିଥିଲେ ସିନେପ୍ରେମୀ। ଏହାପରେ ପ୍ରଶାନ୍ତ-ମହାଶ୍ୱେତା ଯୋଡ଼ିଙ୍କର କେତୋଟି ସିନେମା ମୁକ୍ତିଲାଭ କରିଥିଲା। ଆଉ ଯୋଡ଼ିଙ୍କୁ ଦେଖିବା ଲାଗି ଦର୍ଶକ ପ୍ରେକ୍ଷାଳୟମୁହାଁ ହୋଇଥିଲେ। ପ୍ରଶାନ୍ତ-ମହାଶ୍ୱେତା ଯୋଡ଼ିଙ୍କର ପରବର୍ତ୍ତୀ ସିନେମାଗୁଡ଼ିକ ମଧ୍ୟରେ ରହିଛି ଗୌରୀ, ମା’ ଓ ମମତା, ପୂଜା, ହିସାବ ନିକାଶ, ସ୍ୱପ୍ନ ସାଗର, ଡୋରା, ଜଗାବଳିଆ, ହୀରାନୀଳା, ପକା କମ୍ବଳ ପୋତ ଛତା, ବଗଲାବଗୁଲୀ, ଲାଲପାନ ବିବି, ଗୋଲାମଗିରି, ପଞ୍ଚୁ ପାଣ୍ଡବ ଏବଂ କଣ୍ଢେଇ ଇତ୍ୟାଦି।


ତେବେ ଆପଣ କଣ ଜାଣନ୍ତିକି ଏମିତି ଗୋଟିଏ ସନେମା ଅଛି, ଯେଉଁଥିରେ ପ୍ରଶାନ୍ତ ନନ୍ଦଙ୍କ ବିପକ୍ଷରେ ମହାଶ୍ୱେତା ନୁହଁନ୍ତି ବରଂ ଓଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଅଭିନୟ କରିଥିଲେ। ହଁ, ଏହି ଛବିର ଶୀର୍ଷକ ହେଲା‘ଏମିତି ଭାଇ ଜଗତେ ନାହିଁ’। ଏହି ଫିଲ୍ମରେ ପ୍ରଶାନ୍ତ ସାଜିଥିଲେ ଜଣେ ନିଷ୍କପଟ ଅଥଚ ନିଷ୍ଠାପର ପୁଲିସ୍ ହାବିଲଦାର୍ ଆଉ ଅପରାଜିତା ବନିଥିଲେ ତାଙ୍କର ଧର୍ମପତ୍ନୀ।

ପ୍ରଶାନ୍ତ ନନ୍ଦ ‘ଏମିତି ଭାଇ ଜଗତେ ନାହିଁ’ର କାହାଣୀ, ଚିତ୍ରନାଟ୍ୟ ,ସଂଳାପ, ନିର୍ଦ୍ଦେଶନା ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ମଧ୍ୟ ବହନ କରିଥିଲେ। ‘ଏମିତି ଭାଇ ଜଗତେ ନାହିଁ’ରେ ପ୍ରଶାନ୍ତ -ଅପରାଜିତା ଯୋଡ଼ିଙ୍କୁ ବି ଦର୍ଶକ ପସନ୍ଦ କରିଥିଲେ। କିନ୍ତୁ ଏହାପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ପ୍ରଶାନ୍ତ-ଅପରାଜିତା ଯୋଡ଼ିଙ୍କୁ ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର