ନାଆଁ ଏକା ଦୁଇ ନାୟିକା: ବର୍ଷା କାହାଣୀ

ବର୍ଷା ପ୍ରିୟଦର୍ଶିନୀ
ଓଡ଼ିଆ ସିନେଜଗତରେ ନାୟିକା ଭାବେ ବର୍ଷା ପ୍ରିୟଦର୍ଶିନୀ ସୁପରିଚିତା। ସେ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ମା’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ପ୍ରଥମେ ପରଦାକୁ ଆସିଥିଲେ। ହେଲେ ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଏ ଯୁଗର କୃଷ୍ଣ ସୁଦାମା’ରେ ପ୍ରଥମେ ନାୟିକା ଭାବେ ନଜର ଆସିଥିଲେ। ବ୍ରଜରାଜ ମୁଭିଜ୍ ନିବେଦିତ ତଥା ବିନୟ ନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମ ସୁପର୍‌ହିଟ୍‌ ହେବାପରେ ପଛକୁ ଫେରି ଚାହିଁନାହାନ୍ତି ବର୍ଷା। ସେ ଏହାପରେ ନିୟମିତ ଭାବେ ଓଡ଼ିଆ ସିନେମାରେ ଅଭିନୟ କରି ଆସୁଛନ୍ତି। ତାଙ୍କ ଅଭିନୀତ ଅନ୍ୟ କେତେକ ଉଲ୍ଲେଖନୀୟ ସିନେମା ହେଲା ‘ସାବତ ମା’, ‘ତତେ ମୋ’ ରାଣ’, ‘ତୁ ମୋ ଆଖିର ତାରା’, ‘ସୁନାଶଙ୍ଖାଳି’, ‘ଥ୍ୟାଙ୍କ୍ ୟୁ ଭଗବାନ’, ‘ଏ ମନ ମାନେନା’, ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’, ‘ନେଇ ଯା’ରେ ମେଘ ମତେ’, ‘ଛାତିରେ ଲେଖିଛି ତୋରି ନଁା’, ‘ଧୀରେ ଧୀରେ ପ୍ରେମ ହେଲା’, ‘ସମ୍‌ଥିଙ୍ଗ୍ ସମ୍‌ଥିଙ୍ଗ୍’, ‘ହାତ ଧରି ଚାଲୁଥା’, ‘ପ୍ରେମ ସବୁଠୁ ବଳବାନ୍‌’, ‘ମେଣ୍ଟାଲ୍‌’, ‘ଗପ ହେଲେ ବି ସତ’, ‘ବାଳୁଙ୍ଗା ଟୋକା’, ‘ସମ୍‌ଥିଙ୍ଗ୍ ସମ୍‌ଥିଙ୍ଗ୍-୨’, ‘ଗୋଟେ ଶୁଆ ଗୋଟେ ଶାରି’, ‘ମାଟ୍ରିକ୍ ଫେଲ୍’, ‘ଶୁଭବିବାହ’, ‘ପର୍ଶୁରାମ’, ‘କୁଇନ୍’, ‘ନିମକି’, ‘ଛାତିତଳେ ଡିଂ ଡଙ୍ଗ୍’, ‘ରୋମିଓ ଜୁଲିଏଟ୍’, ‘ବିଜୟିନୀ’ ଓ ‘ବସ୍’ ଇତ୍ୟାଦି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବର୍ଷା ପ୍ରିୟଦର୍ଶିନୀ ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ପ୍ରେମ ସବୁଠୁ ବଳବାନ୍‌’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ଏତଦବ୍ୟତୀତ ସେ ‘ଜୋର୍’, ‘ହାଁସିଖୁସି କ୍ଲବ୍’, ‘ଗୋଲମାଲ୍’, ‘ଲଭ୍‌ଷ୍ଟୋରି’, ‘ଟକ୍କର୍’, ‘ଟାପୁର ଟୁପୁର ବ୍ରିଷ୍ଟି ପରେ’ ଓ ‘ଅଚେହ୍ନା ପ୍ରେମ୍’ ଭଳି ବଙ୍ଗଳା ଛବିରେ ବି ନାୟିକା ଭୂମିକା ନିଭାଇଛନ୍ତି। ଏବେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ‘ୱାଇଫ୍’ ମୁକ୍ତି ପ୍ରତୀକ୍ଷାରେ ରହିଛି।

ବର୍ଷା ପଟ୍ଟନାୟକ
ସିନେମା ସଂଖ୍ୟା କମ୍ ହେଲେ ବି ବର୍ଷା ପଟ୍ଟନାୟକ ଜଣେ ଲୋକପ୍ରିୟ ନାୟିକା। ତାଙ୍କୁ ଦର୍ଶକ ପ୍ରଥମେ ଖ୍ୟାତନାମା ପ୍ରଯୋଜକ-ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ସିନେମା ‘ତୁଳସୀ ଅପା’ରେ ଦେଖିବାକୁ ପାଇଥିଲେ। ଏଥିରେ ନିଜର ଅଭିନୟ ଯାଦୁରେ ଦର୍ଶକ ଓ ସମୀକ୍ଷକଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ସେ। ଏହି ସିନେମାରେ ଉଚ୍ଚକୋଟୀର ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ହାସଲ କରିଥିଲେ। ଏହାପରେ ସେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟର ଉଚ୍ଚ ପ୍ରଶଂସା ହୋଇଥିଲା। ଏହାପରେ ପୁଣି ବର୍ଷା ନଜର ଆସିଥିଲେ ଅନୁପମ ପଟ୍ଟନାୟକଙ୍କ ‘ତ୍ରିକନ୍ୟା’ରେ। ଏହି ସିନେମାରେ ତାଙ୍କୁ ପୁଣି ଏକ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ତାଙ୍କ ଅଭିନୟ ବି ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଥିଲା।

ବର୍ଷାଙ୍କ ସଂପର୍କରେ ବର୍ଷା
ବର୍ଷା ପ୍ରିୟଦର୍ଶିନୀଙ୍କ ସଂପର୍କରେ ବର୍ଷା ପଟ୍ଟନାୟକ କହନ୍ତି, ‘‘ଯଦିଓ ବ୍ୟକ୍ତିଗତ ଭାବେ ତାଙ୍କ ସହ ପରିଚୟ ନାହିଁ, ମାତ୍ର ତାଙ୍କ ଅଭିନୟ ମତେ ବହୁତ ଭଲଲାଗେ। ଅନୁଭବଙ୍କ ସହ ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡ଼ି ମୋର ଖୁବ୍ ପସନ୍ଦ।’’

ଏଣେ ବର୍ଷା ପ୍ରିୟଦର୍ଶିନୀ କହନ୍ତି, ‘‘ବର୍ଷା ପଟ୍ଟନାୟକଙ୍କ ଅଭିନୟ ସଂପର୍କରେ ଜାଣିଛି, ହେଲେ ତାଙ୍କ ସହ ଦେଖା ହୋଇନାହିଁ।’’

ସମ୍ବନ୍ଧିତ ଖବର