କେବେ ପ୍ରଶାନ୍ତ-ଶ୍ରୀରାମ ତ ଉତ୍ତମ-ମିଥୁନ: ପୁଣି ସିଦ୍ଧାନ୍ତ-ଅରିନ୍ଦମ ଓ ସବ୍ୟସାଚୀ-ବାବୁସାନ୍

ଭୁବନେଶ୍ବର: ଓଡ଼ିଆ ସିନେମାର କାହାଣୀରେ ବିଭିନ୍ନ ଧାରା ଦେଖିବାକୁ ମିଳିଛି। କେତେବେଳେ ପିତା-ପୁତ୍ର ତ ପୁଣି କେବେ ମାଆ-ପୁଅ ତ ପୁଣି କେତେବେଳେ ପ୍ରେମିକ-ପ୍ରେମିକା ତ ପୁଣି କେବେ ପତି-ପତ୍ନୀ ସଂପର୍କକୁ ନେଇ ପ୍ରସ୍ତୁତ ହୋଇଛି କାହାଣୀ। ଏହାଭିତରେ ବାଦ୍ ପଡ଼ିନାହିଁ ବନ୍ଧୁତା। ବନ୍ଧୁତାକୁ ନେଇ ତିଆରି ହୋଇଥିବା ଓଡ଼ିଆ ସିନେମାର ତାଲିକା ବେଶ୍ ଦୀର୍ଘ। ଏଠାରେ କେତୋଟି ଓଡ଼ିଆ ସିନେମାର କଥା ଅବତାରଣା କରିବା।


ଓଡ଼ିଆ ସିନେ ଜଗତର ଦୁଇ ଲୋକପ୍ରିୟ ଅଭିନେତା ହେଲେ ପ୍ରଶାନ୍ତ ନନ୍ଦ ଓ ଶ୍ରୀରାମ ପଣ୍ଡା। ଉଭୟଙ୍କ ବନ୍ଧୁତାକୁ ନେଇ ତିଆରି ହୋଇଥିଲା ଛବି ‘ଜଗାବଳିଆ’। ଜଣେ ବନିଥିଲେ ଜଗା, ଆଉ ଜଣେ ବଳିଆ। ପ୍ରଶାନ୍ତ ଓ ଶ୍ରୀରାମଙ୍କ ଯୋଡ଼ି ବି ବେଶ ଜମିଥିଲା ଏଥିରେ। ଏହାର ନିର୍ଦେଶନା ଦେଇଥିଲେ ପ୍ରଶାନ୍ତ ନନ୍ଦ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାଶ୍ବେତା, ଡଲି ଜେନା, ଶଙ୍କର ବସୁମଲ୍ଲିକ ଓ ଜୟୀ ପ୍ରମୁଖ ବି ଅଭିନୟ କରିଥିଲେ।


୨୦୦୩ରେ ମୁକ୍ତିଲାଭ କରିଥିବା ଏଭଳି ଏକ ଓଡ଼ିଆ ଛବି, ଯାହାର କାହାଣୀ ଦୁଇ ବାଲ୍ୟ ବନ୍ଧୁଙ୍କ ଉପରେ ପର୍ଯ୍ୟବସିତ ଥିଲା। ଏଦୁଇ ବାଲ୍ୟବନ୍ଧୁ ବଡ଼ ହେବାପରେ ଘଟଣାଚକ୍ରରେ ପଡ଼ି ପରସ୍ପରକୁ ପରମ ଶତ୍ରୁ ବନିଯାଇଥିଲେ। ଖାଲି ସେତିକି ନୁହେଁ ଦୁହିଁଙ୍କ ଭିତରେ ଟକ୍କର ବି ହୋଇଥିଲା। କିନ୍ତୁ ଅବଶେଷରେ ସେମାନେ ପୁଣି ବନ୍ଧୁତାର ଡ଼ୋରିରେ ବାନ୍ଧି ହୁଅନ୍ତି। ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି,ତାହା ହେଲା-ଓଡ଼ିଆ ଫିଲ୍ମ ‘ଏ ଯୁଗର କୃଷ୍ଣ ସୁଦାମା’।
ବ୍ରଜରାଜ ମୁଭିଜ୍ ବ୍ୟାନରରେ ନିର୍ମିତ ‘ଏ ଯୁଗର କୃଷ୍ଣ ସୁଦାମା’ର ନିର୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏଥିରେ ଦୁଇ ବନ୍ଧୁ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଓ ମିଥୁନ ଚକ୍ରବର୍ତ୍ତୀ। ଏହାର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ଜ୍ୟୋତି ମିଶ୍ର, ଉଷସୀ ମିଶ୍ର, ହର ପଟ୍ଟନାୟକ, ସୂରଜ କୁମାର୍,ବର୍ଷା ପ୍ରିୟଦର୍ଶିନୀ, ଦେବୁ ବୋଷ୍, ଜୟୀ, ହରି ଏବଂ ଅନୀତା ଦାସ ପ୍ରମୁଖ।

ବ୍ରଜରାଜ ମୁଭିଜର ଅନ୍ୟ ଏକ ଓଡ଼ିଆ ଛବି ହେଲା ‘ମୁଁ ତତେ ଲଭ୍ କରୁଚି’। ଏଥିରେ ଦୁଇ ସାଙ୍ଗ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଦ୍ଧାନ୍ତ ଓ ଅରିନ୍ଦମ। ତ୍ରିକୋଣୀୟ ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ନମ୍ରତା ଥାପ୍ପାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଅଶୋକ ପତି ଏହାର ନିର୍ଦେଶକ।


ଅଶୋକ ପତିଙ୍କ ଅନ୍ୟ ଏକ ସିନେମା ‘ଦୋସ୍ତି’ରେ ଆଜିକାର ଦୁଇ ଲୋକପ୍ରିୟ ନାକୟକ ବାବୁସାନ୍ ଓ ସବ୍ୟସାଚୀ ସାଙ୍ଗ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହି ଛବିରେ ପ୍ରିୟା, ମେଘା, ପିଣ୍ଟୁ ନନ୍ଦ ଓ ହରି ପ୍ରମୁଖ ମଧ୍ୟ ନଜର ଆସିଥିଲେ।


ଏଣେ ଭଗବାନ ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତା ଉପରେ ଆଧାରିତ ଓଡ଼ିଆ ଛବି ଥିଲା କୃଷ୍ଣ ସୁଦାମା’। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଖ୍ୟାତନାମା ନିର୍ଦେଶକ ନିତାଇ ପାଲିତ। ଏଥିରେ ଗୋବିନ୍ଦ ତେଜ ସୁଦାମା ଏବଂ ଶାନ୍ତିସ୍ବରୂପ ଶ୍ରୀକୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହାଛଡ଼ା ଅନୀତା ଦାସ ବି ଅଭିନୟ କରିଥିଲେ।

ଠିକ୍ ସେହିପରି ଏହି କାହାଣୀ ଉପରେ ଆଉ ଏକ ସିନେମା ତିଆରି ହୋଇଥିଲା ଯାହାର ଟାଇଟଲ ଥିଲା ‘ହେ ସଖା’। ଏହି ଓଡ଼ିଆ ସିନେମାରେ ସାଣ୍ଟୁ ଏବଂ ସମୀର ଯଥାକ୍ରମେ କୃଷ୍ଣ ଓ ସୁଦାମା ଚରିତ୍ରରେ ଅଭିନୟ କରିଥିଲେ। ଗାର୍ଗୀ  ମହାନ୍ତି ବି ଏଥିରେ ନଜର ଆସିଥିଲେ। ଆଶିଷ ଭଟ୍ଟାଚାର୍ଯ୍ୟ ଥିଲେ ଏହାର ନିର୍ଦେଶକ।

ସମ୍ବନ୍ଧିତ ଖବର