ବୃତ୍ତିରେ ସେ ଜଣେ ନାପିତ । ସୁନ୍ଦର ଷ୍ଟାଇଲରେ ବାଳ କାଟିବା ତାଙ୍କର ଏକ ନିଶା । ତା'ଛଡ଼ା ତାଙ୍କର ଆଉ ଏକ ନିଶା ଅଛି, ତାହା ହେଲା ଗୀତ ଗାଇବା । ଏକ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ସେ ଥରେ ଗାଉ ଥାଆନ୍ତି ’ବୈଜୁ ବାଓ୍ୱାରା' ଚଳଚ୍ଚିତ୍ରରେ ମହମ୍ମଦ ରଫି ଗାଇଥିବା କାଳଜୟୀ ଗୀତ ’ଏ ଦୁନିଆକେ ରଖଓ୍ୱାଲେ' । ସେହି ଉତ୍ସବରେ ଉପସ୍ଥିତ ଥା'ନ୍ତି ପ୍ରଖ୍ୟାତ ଦକ୍ଷିଣଭାରତୀୟ ଗାୟକ ଏସ୍. ପି. ବାଲସୁବ୍ରମନ୍ୟମ୍ । ଗୀତଟି ସରିବାପରେ ଦର୍ଶକମଣ୍ଡଳୀ ଗାୟକଙ୍କୁ କରତାଳିରେ ପୋତି ପକାଇଥିଲେ । ଏସ୍.ପି. ବାଲ୍ସୁବ୍ରମନ୍ୟମ୍ ମଞ୍ଚକୁ ଆସି ସେହି ଗାୟକଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ଥରେ ଜୋରରେ କୁଣ୍ଢାଇ ଧରିବାକୁ । ଗାୟକ ଜଣକ ହଠାତ୍ ବୁଝିପାରି ନଥିଲେ । ଏତେବଡ଼ ଗାୟକଙ୍କୁ ଏଭଳି ଏକ ଅନୁରୋଧ କରୁଛନ୍ତି ! ଏସ୍.ପି. ପୁଣିଥରେ ଜୋର କରିଛନ୍ତି ତାଙ୍କୁ "ଆସ ମତେ କୁଣ୍ଢାଇ ଧର, ମୁଁ ତୁମକୁ ଅନୁରୋଧ କରୁଛି' । ଗାୟକ ଜଣକ ଏସ୍.ପି.ଙ୍କୁ କୁଣ୍ଢାଇ ଧରି ଭୋ ଭୋ ହୋଇ କାନ୍ଦି ଉଠିଥିଲେ । ନିଜର ଭାଗ୍ୟକୁ ବିଶ୍ୱାସ କରିପାରି ନଥିଲେ ସେ । ଏସ୍.ପି. ବାଲସୁବ୍ରମନ୍ୟମ୍ଙ୍କୁ ଜାକିଧରି ତାଙ୍କ କାନ୍ଧରେ ମୁଣ୍ଡ ରଖି ଆନନ୍ଦାଶ୍ରୁ ଗଡ଼ାଇବାର ସୌଭାଗ୍ୟ କେତେଜଣଙ୍କୁ ବା ମିଳେ !
ସେହି ଗାୟକ ଜଣଙ୍କର ନାଁ ଆଜାଦ ୟୁସୁଫ୍ । କେରଳର କୋଚିନ୍ ସହରରେ ଜନ୍ମିତ ଏହି ବ୍ୟକ୍ତିଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି ’କୋଚିନ୍ ଆଜାଦ୍' ନାମରେ । ତାଙ୍କର ଅନ୍ୟଏକ ନାମ "କେରଳ ରଫି' । ଏବେ କେରଳରୁ ପ୍ରକାଶିତ ପ୍ରାୟ ସମସ୍ତ ପ୍ରମୁଖ ଖବରକାଗଜ ଓ ପତ୍ରପତ୍ରିକାରେ କୋଚିନ୍ ଆଜାଦଙ୍କର ଚର୍ଚ୍ଚା । ‘ମଲାୟାଲି ମନୋରମା' ଓ ‘ମାତୃଭୂମି' ଭଳି ପ୍ରମୁଖ ସମ୍ୱାଦପତ୍ର ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଏବଂ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କାରଣ ଗତ ନଭେମ୍ୱର ୧୩ ତାରିଖ ରାତିରେ ମାତ୍ର ୬୨ବର୍ଷ ବୟସରେ ଆଜାଦ ୟୁସୁଫ୍ଙ୍କର ମହାପ୍ରୟାଣ ହୋଇଛି ।
୧୯୫୭ରେ କୋଚିନ୍ଠାରେ ଜନ୍ମିତ ଆଜାଦଙ୍କର ପିଲାଟି ଦିନରୁ ସଙ୍ଗୀତ ପ୍ରତି ଆଗ୍ରହ । ମାତ୍ର ସେ ସେଭଳି କୌଣସି ବିଧିବଦ୍ଧ ସଂଗୀତ ଶିକ୍ଷା କରିନାହାନ୍ତି । ପିଲାଟି ଦିନରୁ ତାଙ୍କର ଅନ୍ୟ ଏକ ଆଗ୍ରହ କେଶସଜ୍ଜା । ଏଥିପାଇଁ ଘରପାଖ ସେଲୁନ୍ରେ ଅଧିକରୁ ଅଧିକ ସମୟ କାଟନ୍ତି ସେ । ବଡ଼ହୋଇ ଏକ ବହୁତ ବଡ଼ ସେଲୁନ୍ ପ୍ରତିଷ୍ଠା କରିବା ଥିଲା ତାଙ୍କର ଲକ୍ଷ୍ୟ ।
ସେ ସମୟରେ ବାଳକଟା ସେଲୁନ୍ ସହ ସଙ୍ଗୀତର ଏକ ଅଭ୍ଭୁତ ସଂପର୍କ ଥିଲା । ଆଜି ମଧ୍ୟ କୌଣସି ଛୋଟ ସହରର ସେଲୁନରେ ପଶିଗଲେ ଅପେକ୍ଷା କରୁଥିବା ଗ୍ରାହକମାନଙ୍କପାଇଁ ଦୁଇଚାରିଟି ଖବରକାଗଜ ସହ ଟ୍ରାନ୍ଜିଷ୍ଟରଟିଏ ରଖାହୋଇଥାଏ କ୍ୟାବିନ୍ର ଗୋଟିଏ କୋଣରେ । ବାଳ କଟାଯାଉଥିବା ସମୟରେ ରେଡ଼ିଓରୁ ଭାସି ଆସୁଥିବା ବିବିଧଭାରତୀର ସୁଗମସଙ୍ଗୀତ ସହ କେଶକଟାଳୀଙ୍କର ମଜାଳିଆ କଥାବାର୍ତ୍ତା ପରିବେଶକୁ ବେଶ୍ ଆମୋଦଦାୟକ କରି ଗଢ଼ିତୋଳେ । ଆଜିକାଲି ହୁଏତ ଟ୍ରାନ୍ଜିଷ୍ଟର ଜାଗାରେ ଟେଲିଭିଜନ୍ ସେଟ୍ ପଶି ଆସିଲାଣି ସେଲୁନ୍ ଭିତରକୁ । ମାତ୍ର ଆଜି ବି ସାହିର ପିଲାଏ ବାରମ୍ୱାର ବିଭିନ୍ନ ବାହାନାରେ ପଶିଆସନ୍ତି ସେଲୁନ୍ ଭିତରକୁ । ଦର୍ପଣ ଦେଖି କେଶ କୁଣ୍ଡାଇବା ଲାଗି । ଅବସରପ୍ରାପ୍ତ ବୟସ୍କ କେହି କେହି ସାମ୍ନା ବେଞ୍ଚରେ ଘଣ୍ଟା ଘଣ୍ଟା ବସି ରହନ୍ତି ଖବରକାଗଜ ପଢ଼ିବା ସହିତ ରେଡ଼ିଓଗୀତର ମଜା ନେବା ପାଇଁ ।
ଏଇଭଳି ଏକ ପରିବେଶରେ କେଶସଜ୍ଜା ସହିତ ସଙ୍ଗୀତର ପ୍ରେମରେ ପଡ଼ିଯାଇଥିଲେ ଆଜାଦ୍ । ତାଙ୍କର ସବୁଠାରୁ ପ୍ରିୟ ଗାୟକ ଥିଲେ ମହମ୍ମଦ ରଫି । ରଫିଙ୍କର ଗୀତ ଗାଇବାରେ ତାଙ୍କର ବହୁତ ସଉକ । "ବଡ଼ି ଦୂର ସେ ଆୟେ ହେଁ...', "ବାହାରୋଁ ଫୁଲ୍ ବରଷାଓ...', "ଯୋ ଓ୍ୱାଦା କିୟା ଓ୍ୱ ନିଭାନା ପଡେ଼ଗା...', "ତୁହ୍ମାରୀ ଜୁଲ୍ଫ କି ସାୟେ ମେ...', "ଚୌଦଭିିଁ କା ଚାନ୍ଦ ହୋ...' ଓ "ଦୁନିଆକେ ରଖଓ୍ୱାଲେ...' ଭଳି ଗୀତ ତାଙ୍କ କଣ୍ଠରୁ ଶୁଣିଲା ବେଳେ ଲାଗେ ଯେମିତି ମହମ୍ମଦ ରଫି ନିଜେ ଗାଉଛନ୍ତି ସେ ଗୀତ । କାଳକ୍ରମେ କୋଚିନ୍ର ସବୁଠାରୁ ଜନପ୍ରିୟ "ମେହେବୁବ୍ ମ୍ୟୁଜିକାଲ୍ ଅକ୍ରେଷ୍ଟ୍ରାରେ ଯୋଗ ଦିଅନ୍ତି ସେ ଏବଂ ସେହି ଅକ୍ରେଷ୍ଟ୍ରା ପାର୍ଟିର ସହରରେ ଦେଶବିଦେଶରେ ରଫିଙ୍କ ଗୀତ ଗାଇ ବେଶ୍ ସୁନାମ ଅର୍ଜନ କରନ୍ତି । ବାହାରିନ୍ ଦେଶରେ ନିଜର ଏକ ସେଲୁନ୍ ଖୋଲିଥିବା ଆଜାଦ ୟୁସୁଫ୍ କିନ୍ତୁ ରଫିଙ୍କ ଜନ୍ମଦିନରେ କୋଚିନ୍ରେ ଆୟୋଜିତ ସଙ୍ଗୀତ ଉତ୍ସବରେ ଯୋଗଦେବାପାଇଁ କେବେ ବି ଭୁଲନ୍ତି ନାହିଁ ।
କେରଳର ରଫି ଆଉ ଏବେ ସ୍ୱଦେହରେ ନାହାନ୍ତି । କିନ୍ତୁ ନିଜର ବୃତ୍ତି ଓ ପ୍ରବୃତ୍ତିକୁ ଏକାଠି କରି ଏକ ସଂନ୍ତୁଳିତ ଓ ଭରାପୂରା ଜୀବନ ଜୀଇଁଥିବା ଏହି ଅସାଧାରଣ ପ୍ରତିଭାକୁ ଆମର ପ୍ରଣାମ ।
- ସ୍ବରାଜ ମିଶ୍ର