ଅଭିନୟରେ ସଫଳ, ଘରସଂସାରରେ ବିଫଳ ଦଲଜିତ୍

ଅନେକ କଳାକାର ସେଇ କଳାକ୍ଷେତ୍ରରୁ ନିଜ ମନପସନ୍ଦର ଜୀବନସାଥୀ ବାଛି ସୁନ୍ଦର ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ବେଳେ ଅନେକଙ୍କ ପାଇଁ ଜୀବନର ଅଙ୍କକଷା ଭୁଲ୍‌ ହୋଇଯାଇଛି। ଜଣାଶୁଣା ଟିଭି ଅଭିନେତ୍ରୀ ଦିଲଜିତ କୌରଙ୍କ ଭାଗ୍ୟରେ ସେଭଳି କିଛି ଅବ୍ୟକ୍ତ ଦୁଃଖ ଲେଖା ହୋଇଥିବା ଜଣାଯାଇଛି। ତିରିଶରୁ ଊର୍ଦ୍ଧ୍ବ ହିନ୍ଦୀ ଧାରାବାହିକରେ ଅଭିନୟ କରି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିବା ଦିଲଜିତ କିନ୍ତୁ ନିଜ ଘରସଂସାର ଚଳାଇବାରେ ବିଫଳ ହୋଇଯାଇଛନ୍ତି। ସାଥୀ କଳାକାର ଶାଳୀନ ଭାନୋଟ୍‌ଙ୍କୁ ବିବାହ କରି ଦୀର୍ଘ ପାଞ୍ଚ ବର୍ଷ କାଳ ଦାମ୍ପତ୍ୟ ଜୀବନ କଟାଇବା ପରେ ସେ ବିବାହ ବିଚ୍ଛେଦର ସମ୍ମୁଖୀନ ହୋଇଛନ୍ତି।

ଏବେ ନିଜର ଏକମାତ୍ର ଆଠ ବର୍ଷର ପୁଅ ସହ ଏକଲା ମାଆର ସମୟ କାଟୁଥିବା ଦିଲଜିତ ଏଭଳି ଦୁର୍ଦ୍ଦିନକୁ ଜୀବନର ଏକ ଅଂଶ ବୋଲି ଧରିନେଇଛନ୍ତି। ତେବେ ଏତେ ସତ୍ତ୍ବେ ବି ସେ ପୂର୍ବ ପରି ଅଭିନୟ ଜାରି ରଖିଛନ୍ତି ଏବଂ ତାହା ହିଁ ତାଙ୍କୁ ଅପାର ଆନନ୍ଦ ପ୍ରଦାନ ପୂର୍ବକ ଅତୀତକୁ ଭୁଲିଯିବାରେ ସହାୟକ ହେଉଛି ବୋଲି ସେ ଆଶ୍ବସ୍ତ ଥିବା କହିଛନ୍ତି। ପଞ୍ଜାବର ଲୁଧିଆନା ଠାରେ ୧୯୮୨ ନଭେମ୍ବର ୧୫ ତାରିଖରେ ଜନ୍ମିତ ଦିଲଜିତଙ୍କ ପିତା ଜଣେ ସାମରିକ ଅଧିକାରୀ ଏବଂ ତାଙ୍କର ଦୁଇ ଭଉଣୀ ମଧ୍ୟ ସେନାବାହିନୀରେ କାର୍ଯ୍ୟରତ। ୨୦୦୪ରେ ସେ ‘ନୌସୁନ୍ଦରୀ’, ‘ମୁମ୍ବାଇ ସୁନ୍ଦରୀ’ ଓ ‘ମହାରାଷ୍ଟ୍ର ରାଣୀ’ ପରି ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଉପବିଜୟିନୀ ହେବା ସହ ‘ପୁଣେ ସୁନ୍ଦରୀ’ ମୁକୁଟ ଧାରଣ କରିଥିଲେ। ଏହା ପରେ ସେ ଜୀ ଟିଭିରେ ପ୍ରସାରିତ ‘ମନ୍‌ସା’ ଧାରାବାହିକରେ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ପ୍ରଥମ ପଦାର୍ପଣର ସକାରାତ୍ମକ ପ୍ରତିକ୍ରିୟା ତାଙ୍କ ପାଇଁ ପରବର୍ତ୍ତୀ ଧାରାବାହିକ ‘ସିଆଇଡି’, ଆହତ’ ଓ ‘ରାତ ହୋନେ କୋ ହୈ’ ପାଇଁ ସୁଯୋଗ ଆଣିଦେଇଥିଲା। ତେବେ ୨୦୦୬ରୁ ୨୦୦୭ ଯାଏ ପ୍ରସାରିତ ‘କୂଳବଧୂ’ ଧାରାବାହିକର ନିୟତି ଚରିତ୍ର ପାଇଁ ସେ ଏକ ଚିହ୍ନା ମୁହଁ ପାଲଟିଯାଇଥିଲେ। ଏହାପରେ ‘ଛୁନା ହୈ ଆସମାନ’ ଓ ‘ସପନା ବାବୁଲ କା..’ ଆଦି ଧାରାବାହିକ ତାଙ୍କ ଲୋକପ୍ରିୟତାକୁ ଆହୁରି ଆଗକୁ କଢ଼ାଇନେଇଥିଲା। ୨୦୦୮ରେ ସେ ନୃତ୍ୟଭିତ୍ତିକ ଧାରାବାହିକରେ ସାଥୀ ଶାଳୀନ ଭାନୋଟ୍‌ଙ୍କ ସହ ପ୍ରତିଯୋଗୀ ସାଜି ତାହାର ବିଜୟ ମୁକୁଟ ଧାରଣ କରିଥିଲେ ଏବଂ ତହିଁ ପରବର୍ଷ ସେମାନେ ବିବାହ କରିଥିଲେ।

ଏହାପରେ ‘କାହାନିୟା ବିକ୍ରମ ବେତାଳ କି’, ‘ଅଦାଲତ’ ଓ ‘ଇସ୍‌ ପ୍ୟାର କୋ କ୍ୟା ନାମ ଦୁଁ’ ଆଦି ଧାରାବାହିକରେ ଦିଲଜିତ ଦର୍ଶକମାନଙ୍କର ହୃଦୟ ଜିତିବାରେ ସକ୍ଷମ ହୋଇଥିଲେ। ତେବେ ୨୦୧୪ରେ ତାଙ୍କର ଏକ ପୁତ୍ର ସନ୍ତାନ ଲାଭ ପରେ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥିଲା। ଏପରିକି ଶାଳୀନଙ୍କ ବିରୋଧରେ ସେ ପାରିବାରିକ ହିଂସା ଅଭିଯୋଗ ଆଣି ତାଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ଅଦାଲତର ଆଶ୍ରୟ ନେଇଥିଲେ। ତାହା ପରେ ମଧ୍ୟ ‘ମା ଶକ୍ତି’, ‘କୟାମତ କି ରାତ’, ‘ଶଶୁରାଲ ଗେନ୍ଦା ଫୁଲ’ ଆଦି ଧାରାବାହିକରେ ଦିଲଜିତଙ୍କ ଅପରିବର୍ତ୍ତନୀୟ ଚମକ ଦେଖିବାକୁ ମିଳିଛି। ସେହିପରି ‘ଇସ୍କ କରେ ବରବାଦିୟାଁ’, ‘ହରଜାଇୟାଁ’ ଓ ‘ବେଫିକର ରହୋ’ ଆଦି ସଂଗୀତ ଆଲବମ୍‌ରେ ସେ ନିଜ ଦାମ୍ପତ୍ୟ ବିଶୃଙ୍ଖଳାର ଝଲକ ପରଷିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର