ମୁମ୍ବାଇ: ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ ‘ସ୍ତ୍ରୀ-୨’ ରିଲିଜର ପ୍ରଥମ ଦିନରେ ୭୬.୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୩୦କୋଟିରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମ ରିଲିଜକୁ ୬ଦିନ ବିତିଥିବା ବେଳେ ୬ଦିନର ଆୟ ଅନେକ ବଡ଼ ବଜେଟ ଫିଲ୍ମକୁ ପଛରେ ପକାଇଥିବା ଜଣାପଡ଼ିଛି।

Advertisment

‘ସ୍ତ୍ରୀ-୨’ ମାତ୍ର ୬ଦିନ ମଧ୍ୟରେ ୨୦୧୮ରେ ରିଲିଜ୍ ହୋଇଥିବା ପ୍ରଥମ ଭାଗର ମୋଟ ଆୟଠାରୁ ଅଧିକ ଆୟ କରିସାରିଲାଣି। 'ସ୍ତ୍ରୀ' ମୋଟ ୧୩୦କୋଟି ଆୟ କରିଥିବା ବେଳେ ଏବେ ‘ସ୍ତ୍ରୀ-୨’ ମାତ୍ର ୬ଦିନରେ ପ୍ରଥମ ଭାଗର ଆୟଠାରୁ ଦ୍ବିଗୁଣ ଆୟ(୨୬୭କୋଟି) କରିସାରିଲାଣି। ବର୍ଷର ସବୁଠାରୁ ବଡ଼ ହିନ୍ଦୀ ଚଳଚ୍ଚିତ୍ର 'କଲକୀ ୨୮୯୮ ଏଡି' ରିଲିଜର ପ୍ରଥମ ଦିନରେ ଯେତିକି ଆୟ କରିଥିଲା, ତା’ଠାରୁ ଅଧିକ ରିଲିଜର ଷଷ୍ଠ ଦିନ ଅର୍ଥାତ୍ ମଙ୍ଗଳବାର ‘ସ୍ତ୍ରୀ-୨’ ଆୟ କରିଛି। ୨୦୨୪ ମସିହାରେ ହ୍ରିତିକ୍ ରୋଶନଙ୍କ 'ଫାଇଟର୍' ରିଲିଜର ପ୍ରଥମ ଦିନ ୨୪.୬୦ କୋଟି ଆୟ କରିଥିବା ବେଳେ 'କଲକୀ ୨୮୯୮ ଏଡି' ୨୨.୫୦କୋଟି ଟଙ୍କା ଆୟ କରିଥିଲା। ଏବେ ରିଲିଜର ଷଷ୍ଠ ଦିନ ଅର୍ଥାତ୍ ମଙ୍ଗଳବାର 'ସ୍ତ୍ରୀ-୨' ୨୫କୋଟି ଆୟ କରିଥିବା ଜଣାଯାଇଛି। ୬ଦିନରେ ଫିଲ୍ମଟି ଭାରତରେ ୨୬୭କୋଟି ଆୟ କରିଥିବା ବେଳେ ବିଶ୍ବ ବକ୍ସ ଅଫିସରେ ଫିଲ୍ମ ୩୫୦କୋଟି ଆୟ କରିସାରିଥିବା ଜଣାଯାଇଛି।