ମୁମ୍ବାଇ: ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର 'ସ୍ତ୍ରୀ-୨', 'ଖେଲ ଖେଲ ମେଁ' ଏବଂ 'ବେଦା' ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ 'ସ୍ତ୍ରୀ-୨' ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ 'ସ୍ତ୍ରୀ-୨' ରିଲିଜର ପ୍ରଥମ ଦିନରେ ୫୪.୩୫କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି।
'ସ୍ତ୍ରୀ-୨' ରିଲିଜ୍ ହେବାର ପ୍ରଥମ ଦିନରେ ୪୬କୋଟି ଟଙ୍କା ଆୟ କରିଥିଲା। ପ୍ରେକ୍ଷାଳୟରେ ରିଲିଜ୍ ପୂର୍ବରୁ ବୁଧବାର ସ୍ପେଶାଲ ଓପନିଂ ପ୍ରିମିୟର ରଖାଯାଇଥିଲା, ଯେଉଁଥିରେ ଏହି ଫିଲ୍ମ ୮.୩ କୋଟି ଟଙ୍କା ଆୟ କରିଥିଲା। ଏହି ଆୟକୁ ମିଶାଇ 'ସ୍ତ୍ରୀ-୨'ର ମୋଟ ଆୟ ୫୪.୩୫କୋଟି ଟଙ୍କାରେ ପହଞ୍ଚିଛି।
ଅନ୍ୟପକ୍ଷରେ 'ବେଦା' ରିଲିଜର ପ୍ରଥମ ଦିନରେ ୬.୫୨କୋଟି ଟଙ୍କା ଆୟ କରିଥିବା ବେଳେ ଅକ୍ଷୟ କୁମାରଙ୍କ ଫିଲ୍ମ 'ଖେଲ ଖେଲ ମେଁ' ମୋଟ ୫କୋଟି ଟଙ୍କା ଆୟ କରିଛି।
୩ଟି ଫିଲ୍ମ ମଧ୍ୟରେ ଏବେ 'ସ୍ତ୍ରୀ-୨' ଆଗରେ ରହିିଥିବା ବେଳେ ଫିଲ୍ମଟି ୨୦୨୪ର ସୁପରହିଟ୍ ଫିଲ୍ମ ସୂଚୀରେ ରହିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।