ଉପସ୍ଥିତି ଜାହିର ପାଇଁ ସଂଘର୍ଷ: ଚିତ୍ରାଙ୍ଗଦା ସିଂହ

କୌଣସି କ୍ଷେତ୍ରରେ ନିଜର ପ୍ରଥମ ସଫଳତା ଏପରି ପୁଲକ ଆଣିଥାଏ ଯେ ପରେ ଯାବତୀୟ ବିଫଳତାକୁ ସମ୍ଭାଳି ଜଣେ ସଂପୃକ୍ତ କ୍ଷେତ୍ର ଛାଡ଼ି ଅନ୍ୟତ୍ର ଯିବାକୁ ପସନ୍ଦ କରିନଥାଏ। ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହଙ୍କ ଜୀବନରେ ସେପରି କିଛି ପ୍ରଥମ ପୁଲକ ତାଙ୍କୁ ମାୟାନଗରୀ ମୁମ୍ବାଇରେ ବାନ୍ଧି ରଖିଛି। ଚଲାପଥରେ ଯେତେ କଣ୍ଟା ଆସିଲେ ବି ଜୀବନର ପ୍ରଥମ ସଫଳତାକୁ ମନେ ପକେଇ ସେ ବାକି ଜୀବନ ଅନାୟାସରେ ବିତାଇଦେଇ ପାରିବେ ବୋଲି କହିଛନ୍ତି। ରାଜସ୍ଥାନର ଯୋଧପୁରରେ ୧୯୭୬ ଅଗଷ୍ଟ ୩୦ ତାରିଖରେ ଜନ୍ମିତ ଚିତ୍ରା ଗୃହବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତେବେ ତାଙ୍କର ନିର୍ଭୀକ ମନୋଭାବ ତାଙ୍କୁ ନୂଆ କିଛି ଆହ୍ବାନର ମୁକାବିଲା ପାଇଁ ଉତ୍ସାହିତ କରି ଚାଲିଥିଲା। ସର୍ବୋପରି ପାରିବାରିକ ସମର୍ଥନ ଥିବାରୁ ସେ ଗ୍ଲାମର ଦୁନିଆରେ କିଛି କରି ଦେଖାଇବାକୁ ଦୃଢ଼ ପରିକର ହୋଇଥିଲେ। ରୁପେଲି ପରଦାକୁ ଆସିବା ପୂର୍ବରୁ ସେ ଜଣେ ମଡେଲ୍‌ ଭାବରେ ପେସାଗତ ଜୀବନ ଆରମ୍ଭ କରିଥିଲେ। ତେବେ ଆଲତାଫ ରାଜାଙ୍କ ଲୋକପ୍ରିୟ ଗୀତ ‘ତୁମ୍‌ ତୋ ଠହରେ ପରଦେଶୀ’ରେ ଚିତ୍ରାଙ୍କ ଆବିର୍ଭାବ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ତାଙ୍କୁ ଅସଲ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା ୨୦୦୫ର ହିନ୍ଦୀ ଫିଲ୍ମ ‘ହଜାରୋଁ ଖ୍ବାଇସେଁ ଐସି’ରେ। ଏହି ପ୍ରଥମ ପଦାର୍ପଣରେ ଶ୍ରେଷ୍ଠ ଅଭିନେକତ୍ରୀ ଭାବେ ମିଳିଥିବା ‘ବଲିଉଡ୍‌ ମୁଭି ସମ୍ମାନ’ରେ ଉତ୍ସାହିତ ହୋଇ ସେ ନିଜର ଜୀବନରେଖାକୁ ସେ ଦିଗରେ ସଳଖି ଦେଇଥିଲେ।

ଏହି ଅବସରରେ ସେ ଗଲ୍‌ଫ ଖେଳାଳି ଜ୍ୟୋତି ରାନ୍ଧୁଆଙ୍କୁ ବିବାହ କରି ଏକ ପୁତ୍ରସନ୍ତାନର ଜନନୀ ମଧ୍ୟ ହୋଇସାରିଥିଲେ। ଏହାପରେ ଫିଲ୍ମ ‘କାଲ୍‌: ୟେଷ୍ଟର୍‌ଡେ ଆଣ୍ଡ୍‌ ଟୁମରୋ’ରେ ଏକ ପ୍ରଭାବୀ ଭୂମିକାରେ ଦେଖାଦେଇଥିଲେ ହେଁ ଦାମ୍ପତ୍ୟ ଜୀବନର ଝଞ୍ଝଟ ପାଇଁ ସେ ତିନି ବର୍ଷ ପାଇଁ ଅଭିନୟନ ଦୁନିଆରୁ ଦୂରେଇ ରହିଥିଲେ। ତେବେ ୨୦୦୮ରେ ସିନେ ଜଗତ୍‌କୁ ‘ସରି ଭାଇ!’ ଫିଲ୍ମ ଜରିଆରେ ଫେରି ଆସିଥିଲେ। ପରେ ‘ଜୋକର’ ଫିଲ୍ମରେ ତାଙ୍କର ଏକ ଉତ୍ତେଜକ ନୃତ୍ୟାଭିନୟ ଦର୍ଶକଙ୍କ ମନରେ ନିଆରା ଆକର୍ଷଣ ଭରିଥିଲା। ଅପରପକ୍ଷେ, ୨୦୧୩ରେ ତିନିଟି ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଚିତ୍ରାଙ୍କର ସେହିବର୍ଷ ସାଂସାରିକ ଜୀବନରେ ଝଡ଼ ଆସିଥିଲା ଏବଂ ସେ ସ୍ବାମୀଙ୍କ ଠାରୁ ଅଲଗା ରହିଥିଲେ ଯାହା ୨୦୧୫ରେ ବିବାହ ବିଚ୍ଛେଦର ରୂପ ନେଇଥିଲା। ଏହାପରେ ସେ କିଛି ଫିଲ୍ମରେ ସଂକ୍ଷିପ୍ତ ଅଥବା ଅତିଥି କଳାକାର ଭାବେ ନିଜକୁ ଅଭିନୟ ଜଗତ ସହ ଜଡ଼ିତ ରଖିବାକୁ ପ୍ରୟାସ କରିଥିଲେ। ଏବେ ନିଜର ଏକମାତ୍ର ପୁଅ ସହ ଜୀବନ ବିତାଉଥିବା ଚିତ୍ରା ଚଳିତବର୍ଷ ୱେବ୍‌ ଧାରାବାହିକ ‘ମଡର୍ଣ୍ଣ ଲଭ୍‌: ମୁମ୍ବାଇ’ରେ ନିଜର ଉପସ୍ଥିତି ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର