ସୁଶାନ୍ତ ମୃତ୍ୟୁ ଘଟଣାରେ ରିୟାଙ୍କ ସମେତ ୬ଜଣଙ୍କ ବିରୋଧରେ ମାମଲା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଆଜି ଏକ ନୂଆ ମୋଡ଼ ନେଇଛି। ସୁଶାନ୍ତଙ୍କ ତଥାକଥିତ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ଅନ୍ୟ ୫ଜଣଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ପାଟଣାସ୍ଥିତ ରାଜୀବନଗର ଥାନାରେ ଏକ ଏତଲା ଦେଇଛନ୍ତି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା, ଠକେଇ ଓ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଦଫା ୩୪୦, ୩୪୨, ୩୮୦, ୪୦୬ ଓ ୩୦୬‌‌ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାର ତଦନ୍ତ ପାଇଁ ବିହାର ପୁଲିସ୍‌ର ଚାରିଜଣିଆ ଏକ ଟିମ୍‌ ଆଜି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତଙ୍କଠାରୁ ମୋଟା ଅଙ୍କର ଟଙ୍କା ନେବା ଓ ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବାରେ ରିୟାଙ୍କ ହାତ ଥିବା ଏତଲାରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରାୟ ୨୦ ଦିନ ତଳେ ମୁମ୍ବାଇ ପୁଲିସ୍‌ ରିୟାଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା।

ସମ୍ବନ୍ଧିତ ଖବର

Comments are closed.