ଜଣେ କଳାକାର ହେଉ ବା ଜଣେ ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ, ସେମାନଙ୍କ କ୍ୟାରିଅର୍‌ର ପ୍ରଥମ ଓ ‌ଶେଷ ସିନେମା ଖୁବ୍‌ ଗୁରୁତ୍ବ ରଖେ। କେବଳ ସେମାନଙ୍କ ଲାଗି ନୁହେଁ, ଦର୍ଶକଙ୍କ ପାଇଁ ବି ଏହା ସ୍ମରଣୀୟ ହୋଇଥାଏ। ସେଭଳି ଏକ ଛବି ହେଉଛି ୨୦୦୨ରେ ମୁକ୍ତିଲାଭ କରିଥିବା ‘ସନ୍ତାନ’। ଏହା ନିର୍ଦ୍ଦେଶକ ମହମ୍ମଦ ମହସୀନ୍‌, ପ୍ରଯୋଜକ ସୁବାସ ରାଉତ ଓ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଶେଷ ଓଡ଼ିଆ ଚଳଚ୍ଚିତ୍ର। କେବଳ ସେତିକି ନୁହେଁ, ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସିଦ୍ଧାନ୍ତ-ରଚନାଙ୍କୁ ମଧ୍ୟ ‘ସନ୍ତାନ’ ପରେ ଆଉ କୌଣସି ଛବିରେ ଏଯାବତ୍‌ ଦେଖିବାକୁ ମିଳିନାହିଁ। ଏହି ଛବିର ପ୍ରଯୋଜନା କରିଥିଲେ ସୁବାସ ରାଉତ। ସେ ୧୯୯୩ର ଛବି ‘ଭାଗ୍ୟ ହାତେ ଡୋରି’ରୁ ଓଲିଉଡ୍‌ରେ ପ୍ରବେଶ କରିଥିଲେ। ପରେ ସେ ‘ସୁନା ପଞ୍ଜୁରୀ’, ‘ଲକ୍ଷ୍ମଣରେଖା’, ‘ଜୀବନସାଥୀ’, ‘ରାମଲକ୍ଷ୍ମଣ’, ‘ସିଂହବାହିନୀ’ ଆଦି ଓଡ଼ିଆ ଛବି ନିର୍ମାଣ କରିଥିଲେ।

Advertisment

ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ମହମ୍ମଦ ମହସୀନ୍ ଥିଲେ ‘ସନ୍ତାନ’ର ନିର୍ଦ୍ଦେଶକ। ୧୯୮୨ରେ ମୁକ୍ତିପ୍ରାପ୍ତ ସୁପର୍‌ହିଟ୍‌ ଛବି ‘ଫୁଲଚନ୍ଦନ’ରୁ ନିର୍ଦ୍ଦେଶନା କ୍ୟାରିଅର୍‌ ଆରମ୍ଭ କରିଥିବା ମହସୀନ୍‌ ପରେ ‘ଦଣ୍ଡାବାଳୁଙ୍ଗା’, ‘ଜନନୀ’, ‘ଜଗା ହାତରେ ପଘା’, ‘ସହରୀ ବାଘ’, ‘ଚକାଭଉଁରୀ’, ‘ଏଇତ ଦୁନିଆ’, ‘ମମତାର ଡୋରି’, ‘ବିଧିର ବିଧାନ’, ‘ତୋ ବିନୁ ଅନ୍ୟ ଗତି ନାହିଁ’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଲକ୍ଷ୍ମଣରେଖା’, ‘ଲକ୍ଷ୍ମୀପ୍ରତିମା’, ‘ମନ ରହିଗଲା ତୁମରିଠାରେ’ ଓ ‘ ଧର୍ମ ସହିଲେ ହେଲା’ ଆଦି ଓଡ଼ିଆ ଛବିରେ ନିର୍ଦ୍ଦେଶନା ଦେଇଥିଲେ।

publive-image

ସୂଚନାଯୋଗ୍ୟ, ସୁବାସ ରାଉତଙ୍କ ସୁପରହିଟ୍ ସିନେମା ‘ସୁନାପଞ୍ଜୁରୀ’ ଓ ‘ଲକ୍ଷ୍ମଣରେଖା’ରେ ଅଭିନୟ କରିବା ପରେ ସିଦ୍ଧାନ୍ତ ‘ସନ୍ତାନ’ରେ ପୁଣି ସୁବାସଙ୍କ ଶିବିରକୁ ଫେରିଥିଲେ। ପ୍ରାୟ ଛଅ ବର୍ଷ ପରେ ଦୁହେଁ ପୁଣି ଏକାଠି ହୋଇଥିଲେ। ତେଣେ ରଚନା ବି ‘ଲକ୍ଷ୍ମଣରେଖା’ ପରେ ସୁବାସ ରାଉତଙ୍କ ସହ ପୁଣି କାମ କରିଥିଲେ ‘ସନ୍ତାନ’ରେ। ସଂଯୋଗବଶତଃ ଏହା ଥିଲା ପ୍ରଯୋଜକ ସୁବାସ ରାଉତ, ନିର୍ଦ୍ଦେଶକ ମହମ୍ମଦ ମହସୀନ୍ ଓ ରଚନାଙ୍କର ଶେଷ ଓଡ଼ିଆ ସିନେମା। ଖାଲି ସେତିକି ନୁହେଁ, ଏହା ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କର ବି ଅନ୍ତିମ ସିନେମା। ଘଟଣାଚକ୍ରରେ ‘ସନ୍ତାନ’ ମୁକ୍ତିଲାଭ କରିବାର କିଛି ମାସ ପରେ ମହମ୍ମଦ ମହସୀନଙ୍କ ପରଲୋକ ହୋଇଥିଲା। ଏହାପରେ ସୁବାସ ରାଉତ ଆଉ ସିନେମାରେ ମନ ନ ଦେଇ ଟେଲି ଧାରାବାହିକ ପ୍ରଯୋଜନାରେ ମନୋନିବେଶ କରିଥିଲେ ଏବଂ ଏକ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ। ଏଣେ ‘ସନ୍ତାନ’ ମୁକ୍ତିଲାଭ କରିବା ପରେ ରଚନା ଓଲିଉଡ୍‌ ଛାଡ଼ି କୋଲକାତା ଚାଲିଯାଇଥିଲେ ଏବଂ ସିଦ୍ଧାନ୍ତ-ରଚନା ଯୋଡ଼ି ଭାଙ୍ଗିଯାଇଥିଲା। ଏହାପରେ ଏଯାଏ ଅନ୍ୟ କୌଣସି ଛବିରେ ସିଦ୍ଧାନ୍ତ-ରଚନା ଯୋଡ଼ି ଦେଖିବାର ସୁଯୋଗ ପାଇନାହାନ୍ତି ସିନେପ୍ରେମୀ।
- ଶିବଶଙ୍କର ଓଝା