ଦୁଇ ଜଣଙ୍କ ସହ ରୋମାନ୍‌ସ କରୁଛନ୍ତି ଏହି ଓଲିଉଡ ନାୟକ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ପରଦାକୁ ଆସିବ ଏକ ନୂଆ ଓଡ଼ିଆ ସିନେମା। ଏଥିରେ ଜଣେ ନାୟକ ଦୁଇ ଜଣ ନାୟିକାଙ୍କ ସହ ରୋମାନ୍‌ସ କରୁଥିବାର ଦେଖିବାକୁ ମିଳିବ।
ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି ସେଥିରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଶୁଭମ୍‌ । ଶୁଭମ୍‌ଙ୍କୁ ଦର୍ଶକ ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପ୍ରେମର ନିଶା ନିଆରା ନିଆରା ’ରେ ଦେଖିବାକୁ ପାଇଥିଲେ ନାୟକ ଭୂମିକାରେ , ଯେଉଁଥିରେ ଶୁଭମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ଜଣାଶୁଣା ଅଭିନେତ୍ରୀ ଜୀନା ସାମଲ । ହେଲେ ଶୁଭମ୍‌ଙ୍କ ଦ୍ୱିତୀୟ ସିନେମାରେ ତାଙ୍କ ବିପକ୍ଷରେ ନଜର ଆସିବେ ଜଣେ ନୁହେଁ, ବରଂ ଦୁଇ ଦୁଇ ଜଣ ନାୟିକା । ଏ ଦୁହିଁଙ୍କ ଭିତରୁ ଜଣେ ହେଲେ ସୁଶ୍ରୀ ଓ ଅନ୍ୟ ଜଣକ ହେଲେ ଝାନ୍‌ସୀ ।


ସୁଶ୍ରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ହେଲା ‘ହେଲୋ’ । ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମା ପରେ ସେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ ‘ ଡାର୍ଲିଂ୍‌’ ରେ ନବାଗତ ବରଦା ପ୍ରସନ୍ନ ଜେନାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ହେଲେ ଏହି ସିନେମା ଏଯାବତ୍‌ ମୁକ୍ତିଲାଭ କରିନାହିଁ । ଅପରପକ୍ଷରେ ଝାନ୍‌ସୀଙ୍କୁ ଦର୍ଶକ ‘ପ୍ରେମର ନିଶା ନିଆରା ନିଆରା’, ‘ଗୁଣ୍ଡା’ ଓ ‘ ମୁଁ ଗୋଟିଏ ଦୁଷ୍ଟ ପିଲା’ ଆଦି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି । ଯେହେତୁ ଦୁଇ ଜଣ ନାୟିକା ଅଛନ୍ତି, ଏଣୁ ଏହି ନୂଆ ସିନେମାର କାହାଣୀରେ ପ୍ରେମ ତ୍ରିକୋଣ ରହିଛି ବୋଲି କୁହାଯାଇପାରେ । ଏହା ଏକ ଟିନ୍‌ଏଜ୍‌ ଲଭ ଷ୍ଟୋରି ବୋଲି ମଧ୍ୟ କୁହାଯାଉଛି ।


ଏହି ଫିଲ୍ମରେ ଶୁଭମ୍‌, ସୁଶ୍ରୀ ଓ ଝାନ୍‌ସୀଙ୍କ ବ୍ୟତୀତ ମିହିର ଦାସ ଓ ରତନ ମେହେର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନ କରିଛନ୍ତି ଭାରତୀ ନାୟକ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦେବ୍‌ । ସୌମିତ୍ରୀ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ । ମନୋରଂଜନ ଦାସ ଏହି ସିନେମାର ସଂଳାପ ଲେଖିଛନ୍ତି ।

ସମ୍ବନ୍ଧିତ ଖବର