ଅଦିତି ଆର୍ଯ୍ୟଙ୍କୁ ପ୍ରଥମ ପଦପାତର ସଫଳତା

କୌଣସି କ୍ଷେତ୍ରରେ ପ୍ରଥମ ଆବିର୍ଭାବ କାଳରେ ଆଶାନୁରୂପ ସଫଳତା ମିଳିଲେ ତାହା ଚଲାପଥକୁ ସୁଗମ କରିଦେଇଥାଏ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଅଗ୍ରଣୀ ସିନେ ଅଭିନେତ୍ରୀ ତଥା ୨୦୧୫ ଫେମିନା ଭାରତ ସୁନ୍ଦରୀ (ବିଶ୍ବ) ମୁକୁଟ ବିଜୟିନୀ ଅଦିତି ଆର୍ଯ୍ୟ। ତାଙ୍କ ଅଭିନୀତ ପ୍ରଥମ ସିନେମାର ସଫଳ ପ୍ରତିଧ୍ବନି ଏପରି ସଂଚରିଗଲା ଯେ ମାତ୍ର ଛଅ ବର୍ଷର ଅଭିନୟ ଜୀବନ ଭିତରେ ସେ ପଛକୁ ପଛ ୧୦ରୁ ଅଧିକ ଚଳଚ୍ଚିତ୍ରରେ ସୁଯୋଗ ପାଇବା ସହ ତାଙ୍କୁ ଫିଲ୍ମ ଦୁନିଆରେ ତିଷ୍ଠି ରହିବା ଲାଗି ସଂଘର୍ଷ କରିବାକୁ ପଡ଼ିନି। ଚଣ୍ଡୀଗଡ଼ ଠାରେ ୧୯୯୩ ସେପ୍ଟେମ୍ବର ୧୮ରେ ଜନ୍ମ ନେଇଥିବା ଅଦିତି ବାଣିଜ୍ୟ ସମ୍ମାନରେ ସ୍ନାତକ ସହ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି।

ତେବେ ଲୋଭନୀୟ ନିଯୁକ୍ତି ସୁଯୋଗକୁ ହାତଛଡ଼ା କରି ସେ ଅଭିନୟ ପ୍ରତି ବେଶୀ ଆକର୍ଷିତ ହୋଇଥିଲେ। ଅବଶ୍ୟ ନିଜର ନିଖୁଣ ତଥା ଆକର୍ଷଣୀୟ ଚେହେରା ସାଙ୍ଗକୁ ଯାଦୁକରୀ ଆଖିର ଆବେଗଭରା ଚାହାଣି ତାଙ୍କୁ ସେ ଦିଗରେ ଆଗକୁ ବଢ଼ିବା ଲାଗି ପ୍ରୋତ୍ସାହନ ଯୋଗାଇଥିଲା। ଶିକ୍ଷା ସାରିବା ପରେ ୨୦୧୫ରେ ସୁନ୍ଦରୀ ପ୍ରତିଯୋଗିତା ‘ଏଫ୍‌ବିବି ଫେମିନା ଭାରତ ସୁନ୍ଦରୀ (ବିଶ୍ବ)ର ମୁକୁଟ ଧାରଣ କରି ସେ ଲୋକଲୋଚନକୁ ଆସିଥଲେ। ଏହା ପରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରି ସେ ମଲ୍‌ଟିମିଡିଆ ସମ୍ମାନର ଶ୍ରେଷ୍ଠ ୫ ଜଣଙ୍କ ଭିତରେ ଏବଂ ଲୋକଙ୍କ ପସନ୍ଦର ଶ୍ରେଷ୍ଠ ୫ ଜଣଙ୍କ ଭିତରେ ରହିଥିଲେ।

ତେବେ ଏହି ସୁନ୍ଦରୀ ପ୍ରତିଯୋଗିତା ପରେ ସେ ଅଭିନୟର କେତେଟି କର୍ମଶାଳାରେ ଯୋଗଦେଇ ନିଜକୁ ଶାଣିତ କରିଥିଲେ। ଅଦିତି ୨୦୧୬ରେ ପୁରୀ ଜଗନ୍ନାଥ ନିର୍ଦ୍ଦେଶିତ ତେଲୁଗୁ ଫିଲ୍ମ ‘ଇଜିମ୍‌’ରେ ପ୍ରଥମ ପଦାର୍ପଣ କରି ହଇଚଇ ସୃଷ୍ଟି କରିଦେଲେ। ଏହା ଅପୂର୍ବ ବ୍ୟାବସାୟିକ ସଫଳତା ହାସଲ କରିବା ସହ ଦର୍ଶକଙ୍କ ମନରେ ସେ ଏକ ପରିଚିତ ମୁହଁ ପାଲଟିଗଲେ। ତହିଁ ପରବର୍ଷ ହିନ୍ଦୀ ଫିଲ୍ମ ‘ତନ୍ତ୍ର’ ଓ ତା’ ପରବର୍ଷ ‘ସ୍ପଟ୍‌ଲାଇଟ୍‌-୨’ରେ ତାଙ୍କ ଅଭିନୀତ ଯଥାକ୍ରମେ ସୁନୟନା ଓ ଜ୍ୟୋତିକା ଚରିତ୍ରକୁ ୱେବ୍‌ ଦର୍ଶକମାନେ ଖୁବ୍‌ ପସନ୍ଦ କରିଥିଲେ। ଏହାପରେ ୨୦୧୯ରେ ସେ ତାମିଲ ଦୁନିଆକୁ ପ୍ରବେଶ କରିଥିଲେ ଦ୍ବିଭାଷୀ ଫିଲ୍ମ ‘ସେଭେନ’ ମାଧ୍ୟମରେ। ସେହିପରି ସେହିବର୍ଷ କନ୍ନଡ଼ ସିନେମା ‘କୁରୁକ୍ଷେତ୍ର’ ମଧ୍ୟ ତାଙ୍କ ପାଇଁ ଆଶାନୁରୂପ ଲୋକପ୍ରିୟତା ଆଣିଥିଲା। ଏପରି ଭାବେ ସେ ଟଲିଉଡ୍‌ ଓ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ସଫଳ ହୋଇଥିଲେ। ନିଜର ଅଭିନୟ ପାଇଁ ଯଦିଓ ତାଙ୍କୁ ସେଭଳି କିଛି ସ୍ବତନ୍ତ୍ର ସମ୍ମାନ ମିଳିନାହିଁ, ତେବେ ଭାଷା ନିର୍ବିଶେଷରେ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ବ୍ୟାବସାୟିକ ସଫଳତା ଲାଭ କରି ଅଦିତିଙ୍କ ପାଇଁ ଶୁଭସୂଚନା ବିଞ୍ଚି ଚାଲିଛନ୍ତି। ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ହିନ୍ଦୀ ସିନେମା ‘୮୩’ ଓ କନ୍ନଡ଼ ପିଲ୍ମ ‘ତ୍ରିଶୂଳମ୍‌’କୁ ଦର୍ଶକ ମହଲ ଖୁବ୍‌ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର