ଉଦ୍‌ଘୋଷିକାରୁ ନାୟିକା ଚନ୍ଦ୍ରିକା ରବି; ନୃତ୍ୟ, ମଡେଲିଂ ଓ ଅଭିନୟରେ ଦର୍ଶକଙ୍କ ମନ ଜିଣୁଛନ୍ତି

ମୁମ୍ବାଇ:  ନିଜର ବାକ୍‌ଚାତୁରୀରେ ଜନସାଧାରଣଙ୍କୁ ବଶୀଭୂତ କରିପାରିବାର ଦକ୍ଷତା ରଖିଥିବା ଉଦ୍‌ଘୋଷିକା ତଥା ମଡେଲ ଚନ୍ଦ୍ରିକା ରବି ଶେଷରେ ସିନେ ଜଗତ୍‌ର ଜଣେ ପେସାଦାର ନାୟିକା ପାଲଟି ଯାଇଛନ୍ତି।  ନିଜର ଯାଦୁକରୀ ହସ ଓ ମନଲୋଭା ଚାହାଣି ତାଙ୍କୁ ଆକର୍ଷଣର କେନ୍ଦ୍ର ବିନ୍ଦୁ କରାଇଛି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଅନ୍ତର୍ଗତ ଭିକ୍ଟୋରିଆଠାରେ ୧୯୮୯ ଏପ୍ରିଲ ୫ ତାରିଖରେ ଏକ ଭାରତୀୟ ହିନ୍ଦୁ ପରିବାରରେ ଜନ୍ମିତ ଚନ୍ଦ୍ରିକା ମାତ୍ର ତିନି ବର୍ଷ ବୟସ ବେଳୁ ହିଁ ନୃତ୍ୟ ଓ ଅଭିନୟ କଳାରେ ଶିକ୍ଷାଲାଭ ଆରମ୍ଭ କରିଥିଲେ ଏବଂ ୧୬ ବର୍ଷ ବେଳକୁ ତାଙ୍କର ପେସାଦାର ଜୀବନ ଆରମ୍ଭ ହୋଇଯାଇଥିଲା। ଭାରତନାଟ୍ୟମ୍‌, କଥକ ଓ ଓଡ଼ିଶୀ ପରି ଶାସ୍ତ୍ରୀୟ ନୃତ୍ୟ ସମେତ ଜାଜ୍‌, ବାଲେ ଓ ସମକାଳୀନ ନୃତ୍ୟରେ ସ୍ବତନ୍ତ୍ର ତାଲିମ ନେଇଥିବା ଚନ୍ଦ୍ରିକା ନ୍ୟୁୟର୍କ ଫିଲ୍ମ ଏକାଡେମିରୁ ଅଭିନୟରେ ମଧ୍ୟ ଡିପ୍ଲୋମା ହାସଲ କରିଛନ୍ତି।

ପ୍ରାରମ୍ଭରେ ଅଷ୍ଟ୍ରେଲିଆର ରେଡିଓ ଓ ଟେଲିଭିଜନରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପିକା ସାଜିଥିବା ଚନ୍ଦ୍ରିକା ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ୨୦୧୨ରେ ବିଶ୍ବ ସୁନ୍ଦରୀ(ଅଷ୍ଟ୍ରେଲିଆ) ଓ ଭାରତ ସୁନ୍ଦରୀ(ଅଷ୍ଟ୍ରେଲିଆ) ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସହ ୨୦୧୪ରେ ମାକ୍ସିମ ସୁନ୍ଦରୀ(ଭାରତ)ର ଉପବିଜୟିନୀ ହୋଇଥିଲେ। ତେବେ ୨୦୧୭ରେ ହଠାତ୍ ତାମିଲ ଫିଲ୍ମ ‘ସେଇ’ରେ ପ୍ରଥମ ପଦାର୍ପଣ କରି ନିଜର ଉତ୍ତେଜନା ସୃଷ୍ଟିକାରୀ ଚେହେରାରେ ମୃଗନୟନା ଚନ୍ଦ୍ରିକା ଦର୍ଶକଙ୍କ ଛାତିର ସ୍ପନ୍ଦନ ପାଲଟିଯାଇଥିଲେ। ସେହିବର୍ଷ ଅନ୍ୟତମ ତାମିଲ ସିନେମା ‘ଇରୁତୁ ଆରାୟି ମୁରତୁ କୁଥ୍‌ଥୁ’ରେ ତାଙ୍କ ଅଭିନୟ ପ୍ରଶଂସକମାନଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିଲା। ସେହିପରି ୨୦୧୯ରେ ତାଙ୍କର ପ୍ରଥମ ତେଲୁଗୁ ସିନେମା ‘ଚିକଟି ଗାଡ଼ିଲୋ ଚିଠାକୋଟୁଡୁ’ରେ ମଧ୍ୟ ଦର୍ଶକ ତାଙ୍କୁ ଖୁବ୍‌ ଗ୍ରହଣ କରିଥିଲେ।

ଏଥି ସହିତ ଅନ୍ୟତମ ତାମିଲ ଚିତ୍ର ‘ଉନ୍ କଧାଲ ଇରୁନ୍ଧାଲ’ ମାଧ୍ୟମରେ ମଧ୍ୟ ସେ ଏକ ଅଭୁଲା ଛାପ ଛାଡ଼ିଯାଇଛନ୍ତି। ସମ୍ପ୍ରତି ୟୁନିସେଫ୍‌ ଇଣ୍ଡିଆ ପାଇଁ ଜଣେ ରାଷ୍ଟ୍ରଦୂତର ଭୂମିକା ନିଭାଉଥିବା ଚନ୍ଦ୍ରିକା ମାନସିକ ରୋଗୀଙ୍କ ମୁଖପାତ୍ର ପାଲଟିବା ସହ ସେମାନଙ୍କୁ ଘେରି ରହିଥିବା ସାମାଜିକ ପ୍ରତିବନ୍ଧକ ହଟାଇବାରେ ବ୍ରତୀ ରହିଛନ୍ତି। ସେହିପରି ନିଜର ଅଭିନବ ପେସା ପାଇଁ ଭାରତ ଓ ଲସ୍‌ ଆଞ୍ଜେଲ୍‌ସ ମଧ୍ୟରେ ଅନବରତ ଯାତ୍ରା ଜାରି ରଖିଥିବା ଚନ୍ଦ୍ରିକା ସମଗ୍ର ବିଶ୍ବରେ ଏବଂ ବିଶେଷ କରି ଭାରତରେ କିପରି ମହିଳା ଓ ବାଳିକାମାନଙ୍କ ଅଧିକାର ବଜାୟ ରଖିହେବ, ତାହା ସାଧନ କରିବାକୁ ଜୀବନର ଲକ୍ଷ୍ୟ ଭାବେ ବାଛିଛନ୍ତି। ଜଣେ ଅଭିନେତ୍ରୀ ଓ ସମାଜସେବୀର ଦ୍ବୈତ ଚରିତ୍ରରେ ଅବତୀର୍ଣ୍ଣ ଚନ୍ଦ୍ରିକାଙ୍କର ଜୀବନୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ।

ସମ୍ବନ୍ଧିତ ଖବର