ନୂଆଦିଲ୍ଲୀ: ଭୋଜପୁରୀ ସିନେମା ଶିଳ୍ପରୁ ଏକ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ଅଭିନେତା ସୁଦୀପ ପାଣ୍ଡେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଦୁଃଖଦ ଖବର ସୁଦୀପ ପାଣ୍ଡେଙ୍କ ପରିବାର ପକ୍ଷରୁ ନିଶ୍ଚିତ କରାଯାଇଛି।
୨୦୨୫ ଜାନୁଆରି ୧୫ ତାରିଖ ବୁଧବାର ଦିନ ସକାଳ ୧୧ଟାରେ ସୁଦୀପ ପାଣ୍ଡେଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସୁଦୀପଙ୍କୁ ମୃତ ଘୋଷଣା କରିଥିଲେ।
ସୁଦୀପ ଅଭିନୟ ଜଗତ ବ୍ୟତୀତ ରାଜନୀତିରେ ମଧ୍ୟ ଜଡ଼ିତ ଥିଲେ । ସେ ଏନସିପି ଦଳର ସଦସ୍ୟ ଥିଲେ। ସୁଦୀପ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ମଧ୍ୟ ଥିଲେ। କିନ୍ତୁ ଅଭିନୟ ପ୍ରତି ତାଙ୍କର ଆଗ୍ରହ ଯୋଗୁଁ ସେ ଚାକିରି ଛାଡି ଚଳଚ୍ଚିତ୍ର ପାଇଁ କାମ କରିବା ଆରମ୍ଭ କରିଥିଲେ।
ସୁଦୀପଙ୍କ ପ୍ରଥମ ଫିଲ୍ମ ଥିଲା 'ଭୋଜପୁରିଆ ଭାୟା'। ଯାହା ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା। ଏହା ପରେ ସେ 'ମସିହା ବାବୁ', 'ହମାର ସଙ୍ଗୀ ବଜରଙ୍ଗବଲୀ', 'ଭୋଜପୁରିଆ ଦରୋଗା', 'ହମାର ଲଲକାର', 'ହମ ହୈ ଧର୍ମଯୋଦ୍ଧା', 'ଖୁନି ଦଙ୍ଗଲ', 'ଧରତୀ କା ବେଟା ’ ଭଳି ଫିଲ୍ମରେ କାମ କରିଥିଲେ।
ସୁଦୀପ ପାଣ୍ଡେଙ୍କ ଜଣେ ବନ୍ଧୁ କହିଛନ୍ତି,‘ ସୁଦୀପ କିଛିବର୍ଷ ହେବ ଅନେକ ସମସ୍ୟା ଦେଇ ଗତି କରୁଥିଲା। ସେ 'ଭିକ୍ଟର' ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲା। ଫିଲ୍ମଟି ଫ୍ଲପ୍ ହୋଇଯାଇଥିଲା ଏବଂ ସୁଦୀପ ତାର ସମସ୍ତ ଟଙ୍କା ହରାଇ ଦେଇଥିଲା। ଦିନକୁ ଦିନ ତାର ଋଣ ଭାର ବୃଦ୍ଧି ପାଇବାରେ ଲାଗିଥିଲା।’