ନୂଆଦିଲ୍ଲୀ: ସୁପର୍‌ଷ୍ଟାର୍‌ ଶାହରୁଖ ଖାନଙ୍କ ଗେହ୍ଲୀ ଝିଅ ସୁହାନା ଖାନ୍‌ ନେଟ୍‌ଫ୍ଲିକ୍ସରେ ଜୋୟା ଅଖତର୍‌ଙ୍କ ‘ଦ ଆର୍ଚିସ୍‌’ରେ ନିଜର ଅଭିନୟ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ସ୍ବର୍ଗତା ଶ୍ରୀଦେବୀ ଓ ପ୍ରଡ୍ୟୁସର ବୋନୀ କପୁରଙ୍କ ଝିଅ ଖୁସୀ କପୁର, ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତି ତଥା ଶ୍ବେତା ବଚ୍ଚନ ଓ ନିଖିଳ ନନ୍ଦଙ୍କ ପୁଅ ଅଗସ୍ତ୍ୟ ନନ୍ଦ ଅଭିନୟ କରୁଛନ୍ତି। ଏହା ରିଲିଜ୍ ହେବା ପୂର୍ବରୁ ଶାହରୁଖ ଫିଲ୍ମ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ‌ଏବେ ଶୁଣିବାକୁ ମିଳୁଛି ଯେ ଶାହାରୁଖ୍‌ ତନୟା ନିଜର ନାମରେ ଏକ ଜମି କିଣିଛନ୍ତି।

Advertisment

ସୁହାନା ମହାରାଷ୍ଟ୍ରର ଆଲିବାଗଠାରେ ଏକ ଚାଷ ଜମି କିଣିବା ଖବର ଏବେ ଚର୍ଚ୍ଚା ପାଲଟିଛି। ମନି କଣ୍ଟ୍ରୋଲ ଡଟ୍ କମ୍ ଅନୁଯାୟୀ କିଣାଯାଇଥିବା ଜମି ୧.୫ ଏକରର। ଏହାର ମୂଲ୍ୟ ୧୨.୯୧ କୋଟି ଟଙ୍କା। ଆଲିବାଗରେ କିଣାଯାଇଥିବା ଜମିରେ ଯଥାକ୍ରମେ ୧,୭୫୦ ବର୍ଗଫୁଟ, ୪୨୦ ବର୍ଗଫୁଟ ଏବଂ ୪୮ ବର୍ଗଫୁଟର କାର୍ପେଟ ଅଞ୍ଚଳର ତିନୋଟି ସଂରଚନା ରହିଛି। ଖବର ଅନୁଯାୟୀ, ଏହି ଚୁକ୍ତି ୨୦୨୩ ମସିହା ଜୁନ୍‌ ପହିଲାରେ ହୋଇଥିଲା।

କୌତୂହଳର ବିଷୟ ହେଉଛି ଯେ କେବଳ ସୁହାନା ନୁହଁନ୍ତି ଆହୁରି ଅନେକ ସେଲିବ୍ରେଟିଙ୍କର ଆଲିବାଗରେ ସେମାନଙ୍କର ହଲିଡେ ହୋମ୍‌ସ ବା ଛୁଟିଦିନ କାଟିବା ପାଇଁ ଘର ଅଛି।

ଅଭିନେତ୍ରୀ ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ଅଭିନେତା ରଣବୀର ସିଂ ଏବଂ କ୍ରିକେଟର୍‌ ବିରାଟ କୋହଲିଙ୍କ ପରି ଅନେକ ସେଲିବ୍ରିଟିମାନେ ମଧ୍ୟ ଏହି ତାଲିକାରେ ସାମିଲ୍‌ ଅଛନ୍ତି। ସେଠାରେ ଶାହରୁଖ ଖାନଙ୍କର ମଧ୍ୟ ୨୦,୦୦୦ ବର୍ଗ ମିଟରର ଏକ ବଙ୍ଗଳା ଅଛି। ସୁହାନା ନ୍ୟୁୟର୍କରେ ଉଚ୍ଚଶିକ୍ଷା ଶେଷ କରିଛନ୍ତି।