ଜବାବ ଦେଲା ସଫଳତା: ତ୍ବଚା ରଂଗ ମଳିନ ହୋଇଥିବାରୁ ସମାଲୋଚନା କରୁଥିଲେ ଲୋକ, କାନ୍ଦୁଥିଲେ ଅଭିନେତ୍ରୀ

ମୁମ୍ବାଇ: ‘ବିଗ୍‌ବସ୍‌-୧୬’ରେ ସମସ୍ତଙ୍କ ମନ ଜିତିବା ଆଗରୁ ଧାରାବାହିକ ‘ଇମ୍‌ଲୀ’ ଜରିଆରେ ସଭିଙ୍କ ପ୍ରିୟ ପାଲଟି ସାରିଥିଲେ ‌ଟେଲି ଅଭିନେତ୍ରୀ ସୁମ୍ବୁଲ୍‌ ତୌକିର୍‌ ଖାନ୍‌। ଧାରାବାହିକରେ ସେ ଜଣେ ଗାଉଁଲୀ ଝିଅର ଚରିତ୍ର ନିଭାଇ ସମସ୍ତଙ୍କୁ ନିଜର ଅଭିନୟର ଯାଦୁରେ ବାନ୍ଧି ପାରିଥିଲେ ସିନା, ତା’ ପଛରେ ଲୁଚି ରହିଛି ତାଙ୍କ ସଂଘର୍ଷର କଥା।

ଏହି ଚରିତ୍ର ପାଇବା ତାଙ୍କ ପାଇଁ ବେଶ୍‌ ସହଜ କିମ୍ବା ସ୍ବାଗତଯୋଗ୍ୟ ନଥିଲା। ବରଂ ନିଜର ସେ କଷ୍ଟ ଦିନର କଥା ମନେ ପକାଇ ସୁମ୍ବୁଲ୍‌ କହନ୍ତିି ଯେ ତାଙ୍କ ଶରୀରର ରଂଗ ପାଇଁ ତାଙ୍କୁ ଅନେକ କଟୁ ମନ୍ତବ୍ୟ ଶୁଣିବାକୁ ପଡ଼ିଥିଲା।

ସେ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ତାଙ୍କ ତ୍ବଚାର ରଂଗ ଉଜ୍ଜ୍ବଳ ହୋଇଥବାରୁ ତାଙ୍କୁ ପ୍ରଥମେ ପ୍ରଥମେ ଲୋକେ ବିଭିନ୍ନ ପ୍ରକାରର କଥା କହୁଥିଲେ। ‘ଇଏ କେମିତିକା ହିରୋଇନ୍‌ ନେଇ ପଳେଇ ଆସିଲ’ ବୋଲି ମୋତେ କୁହାଯାଉଥିବାର ମୁଁ ଶୁଣିଛି ବୋଲି ସେ କହିଛନ୍ତି। ଏପରିକି ଲୋକଙ୍କର ଏପରି ମନ୍ତବ୍ୟ ପାଇଁ ସେ ଖୁବ୍‌ କାନ୍ଦିଛନ୍ତି ବୋଲି ମଧ୍ୟ ସ୍ବୀକାର କରିଛନ୍ତି।

ସେ ଆହୁରି ବି କହିଛନ୍ତି ଯେ ‘ମୋ ଶରୀରର ରଂଗ ‌ପାଇଁ ମୋର ବିଶ୍ବାସ ନଥିଲା ଯେ ମୁଁ କେବେ ହିରୋଇନ୍‌ ହୋଇପାରିବି ବୋଲି। ମୁଁ ‘ଇମ୍‌ଲୀ’ରେ ଅଭିନୟ କରିବା ପୂର୍ବରୁ ସୋ’ର ଟିଆର୍‌ପି ୨.୨ ଥିଲା। ମାତ୍ର ମୁଁ ଏହି ଧାରାବାହିକର ଅଂଶ ହେବା ପରେ ଏହାର ଟିଆର୍‌ପି ବଢ଼ିବାରେ ଲାଗିଲା। ଲୋକ ମୋର ଚେହେରାକୁ ନୁହେଁ, କାମକୁ ଦେଖିବାକୁ ଲାଗିଲେ। ମୁଁ ବି ନିଜକୁ ନିଜ ପ୍ରଶଂସା କରିବାରେ ଲାଗିଲି।’

ସମ୍ବନ୍ଧିତ ଖବର