ନୂଆଦିଲ୍ଲୀ: ପଞ୍ଜାବୀ ଗାୟିକା ସୁନନ୍ଦା ଶର୍ମା 'ମମି ନୁ ପସନ୍ଦ', 'ଦୁଜି ବାର ପ୍ୟାର ହୋୟା' ଭଳି ଗୀତ ଗାଇ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ସମ୍ପ୍ରତି ଗାୟିକା ଜଣକ ପ୍ରଯୋଜକ ପିଙ୍କି ଧାଲିୱାଲଙ୍କ ବିରୋଧରେ ତାଙ୍କ ଗୀତ ପାଇଁ ଟଙ୍କା ନଦେବାର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ପ୍ରଯୋଜକଙ୍କୁ ଗିରଫ କରିଛି।
ସୁନନ୍ଦା ଶର୍ମା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- 'ଏହି ପ୍ରସଙ୍ଗ କେବଳ ଟଙ୍କା ବିଷୟରେ ନୁହେଁ, ଏହା ମୋର ମାନସିକ ନିର୍ଯାତନାର ବିଷୟ ମଧ୍ୟ। ଏହା ପ୍ରତ୍ୟେକ କଳାକାରଙ୍କ ବିଷୟରେ, ଯେଉଁମାନେ ମଧ୍ୟବିତ୍ତ ପରିବାରରୁ ଆସି ନିଜର କ୍ୟାରିଅର ଗଢ଼ିବାକୁ ସ୍ୱପ୍ନ ଦେଖନ୍ତି। କିନ୍ତୁ ସେମାନେ କୁମ୍ଭୀରର ଜାଲରେ ଫସିଯାଇଥାଆନ୍ତି।
ଏହି ଜାଲ ବିଛେଇ ଥିବା ଲୋକମାନେ ଆମକୁ କଠିନ ପରିଶ୍ରମ କରାନ୍ତି ଏବଂ ଆମର ରୋଜଗାରରେ ସେମାନେ ନିଜର ସଉକ ପୂରଣ କରିଥାଆନ୍ତି। ସେମାନେ ଆମ ସହିତ ଭିକାରୀ ପରି ବ୍ୟବହାର କରନ୍ତି। ’
ମୋତେ ମାନସିକ ଭାବରେ ହଇରାଣ କରାଯାଇଛି। ମୁଁ ଅନେକ ଦିନ ଧରି ମୋ କୋଠରୀରେ ଏକୁଟିଆ ବସି କାନ୍ଦିଛି ଏବଂ ପ୍ରଯୋଜକଙ୍କ ପାଇଁ ଜୀବନ ହାରି ଦେବାକୁ ବି ସ୍ଥିର କରିଥିଲି। କିନ୍ତୁ ମନକୁ ଅନେକ ବୁଝାଇ ଦମ୍ଭ ଧରିଥିଲି। ବୁଝିଗଲି ଯଦି ମୁଁ ହାରି ଯାଉଛି ମୋ ଭଳି ଅନେକ ମହିଳା ଏପରି କୁମ୍ଭୀରମାନଙ୍କ ଜାଲରେ ଫସି ହନ୍ତସନ୍ତ ହେବେ। ତେଣୁ ମୋତେ ସାମ୍ନାକୁ ଆସିବାକୁ ହେବ। ଜାଲ ବିଛାଉଥିବା ଲୋକଙ୍କ ଅସଲ ଚେହେରା ସାମ୍ନାକୁ ଆଣିବାକୁ ହେବ ବୋଲି ସ୍ଥିର କରିଥିଲି।’
ପୋଷ୍ଟ ସହିତ ଏକ କ୍ୟାପସନରେ ସରକାରଙ୍କୁ ଧନ୍ୟବାଦ ଜଣାଇ କଣ୍ଠଶିଳ୍ପୀ ଲେଖିଛନ୍ତି- ମୋର ଦାବି ପୁରଣ ପାଇଁ ମୁଁ ସରକାରଙ୍କୁ ନିବେଦନ କରୁଛି। ମୁଁ ମୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ଯେ ସେ ମୋର ସମସ୍ୟା ଶୁଣିଛନ୍ତି।’