ମୁମ୍ବାଇ: ଫିଲ୍ମ ପାଇଁ ଟଙ୍କା ନେଇଥିଲେ। ହେଲେ ଏବେ ଫେରାଉ ନାହାନ୍ତି ସନ୍ନି। ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଉପରେ ଏଭଳି ଆରୋପ ଲଗାଇଲେ ନିର୍ଦ୍ଦେଶକ-ପ୍ରଯୋଜକ ସୁନୀଲ ଦର୍ଶନ। ସୁନୀଲ ଏବଂ ସନ୍ନି ଫିଲ୍ମ 'ଅଜୟ', 'ଇନ୍ତେକାମ' ଏବଂ 'ଲୁଟେରେ'ରେ କାମ କରିଥିଲେ। ସେମାନଙ୍କର ଝଗଡା ୧୯୯୬ରେ ଆରମ୍ଭ ହୋଇଥିଲା ଏବଂ ଅନେକ ବର୍ଷ ବିିତିବା ପରେ ବି ଏହା ଜାରି ରହିଛି। ବର୍ତ୍ତମାନ, ଏକ ନୂତନ ସାକ୍ଷାତକାରରେ ସୁନୀଲ ଦର୍ଶନ, ସନ୍ନିଙ୍କ ଉପରେ ଠକେଇର ଆରୋପ ଲଗାଇଛନ୍ତି।
ଦୈନିକ ଭାସ୍କରକୁ ସାକ୍ଷାତକାର ଦେଇ ସୁନୀଲ ଦର୍ଶନ କହିଛନ୍ତି ଯେ "ସନ୍ନି ଦେଓଲ ନିଜର ଏକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବିତରଣ କମ୍ପାନି ଆରମ୍ଭ କରିବାକୁ ଯୋଜନା କରୁଥିବାବେଳେ ଫିଲ୍ମ 'ଅଜୟ' ପାଇଁ ଡିଷ୍ଟ୍ରିବ୍ୟୁସନ ରାଇଟ୍ସ ମାଗିଥିଲେ। ଏହା ସହ ସନ୍ନି ଦେଓଲ ମୋତେ ଲଣ୍ଡନରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଟଙ୍କା ଆଣିବା ପାଇଁ ରାଜି କରାଇ ଦେଇଥିଲେ। ମୁଁ ତାଙ୍କୁ ଟଙ୍କା ଦେଇଥିଲେ ବି ସେ ପରେ ମୋତେ ଆଜି ଦେବି କାଲି ଦେବି କହି ଆଉ ଟଙ୍କା ଦେଇନଥିଲେ। କିଛି ମାସ ପରେ ବ୍ୟକ୍ତିଗତ ସମସ୍ୟା ଥିବା କହି ସେ ମୋତେ ଟଙ୍କା ଦେଇପାରୁନଥିବା କହିଥିଲେ। ପରେ ସେ କାମ କରୁଥିବା ଏକ ଫିଲ୍ମର ପ୍ରଯୋଜନାରେ ମୋର ସାହାଯ୍ୟ ମାଗିଥିଲେ। ସେ କହିଥିଲେ ଯେ ସେ ମୋ ସହ ଏକ ଫିଲ୍ମ କରିବେ ଏବଂ ଫିଲ୍ମ ସରିବା ପରେ ମୋଠାରୁ ନେଇଥିବା ଟଙ୍କା ଦେବେ। ହେଲେ ନା ସେ ଫିଲ୍ମ ସରିଲା, ନା ମୁଁ ଟଙ୍କା ପାଇଲି। ମୁଁ ଚାରି ବର୍ଷ ସନ୍ନି ଦେଓଲଙ୍କ ପଛରେ ଦୌଡିଥିଲେ ବି ମୋତେ ମୋ ଟଙ୍କା ମିଳିନଥିଲା। ଏଥିପାଇଁ ମୁଁ କୋର୍ଟର ଦ୍ବାରସ୍ତ ହେଲି।"
ସେ ଆହୁରି କହିଛନ୍ତି, “କୋର୍ଟରେ ସନ୍ନି ମୋତେ ଦେବାକୁ ଟଙ୍କା ନାହିଁ ବୋଲି କହିଥିଲେ ଏବଂ ମୋ ସହ ଏକ ଫିଲ୍ମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତା’ପରେ, ସେ ଫିଲ୍ମ ସ୍କ୍ରିପ୍ଟରେ ପରିବର୍ତ୍ତନ କରିବା ଓ ସମୟ ଦେଇପାରୁନି ବୋଲି ବାହାନା କରି ଫିଲ୍ମର ସୁଟିଂ ପୂରଣ କରିନଥିଲେ। ପ୍ରାୟ ୨୭ବର୍ଷ ବିତିଗଲାଣି, ହେଲେ ମୋତେ ମୋ ଟଙ୍କା ମିଳୁନି। ଅନ୍ୟର ଟଙ୍କା ନେଇ ସେ ନିଜର ସମ୍ପତ୍ତି ବଢ଼ାଉଛନ୍ତି। ହେଲେ ଦେବାକୁ ଇଚ୍ଛା କରୁନାହାନ୍ତି। ସନ୍ନିଙ୍କ ଉପରେ ମୋର ୭୭,୨୫,୦୦ଟଙ୍କା ବାକି ରହିଛି।"