ସଙ୍ଗୀତ ନିର୍ଦ୍ଦେଶକ ସାଜିଲେ ସୁନୀଲ

ନାୟକରୁ ସଙ୍ଗୀତ ନିର୍ଦ୍ଦେଶକ ସାଜିଛନ୍ତି ଓଲିଉଡ୍‌ର ଜଣାଶୁଣା ଅଭିନେତା ସୁନୀଲ କୁମାର। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚାରିଟି ମ୍ୟୁଜିକ୍ ଭିଡିଓ ମୁକ୍ତିଲାଭ କରିଛି। ବଲିଉଡ୍‌ରେ ବିଶେଷ ନାଁ କରିଥିବା ଓଡ଼ିଆ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଏବଂ ଋତୁରାଜ ମହାନ୍ତିଙ୍କ କଣ୍ଠରେ ଦୁଇଟି ଗୀତ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ୨ଟି ଗୀତକୁ ଦୁଇଜଣ ଅଣଓଡ଼ିଆ ଗାୟକ ଗାଇଛନ୍ତି।

କ୍ରିଷ୍ଣା ଗାଇଥିବା ‘ଇସ୍କ ବଡ଼ା ତଡ଼ପାଏ’ ଓ ରତୁରାଜଙ୍କ କଣ୍ଠରେ ‘ତେନୁ ତକିୟା ବିନା’ ଗୀତଟି ଯଥେଷ୍ଟ ଲୋକପ୍ରିୟତା ହାସଲ କରିଛି। ଅପରପକ୍ଷେ ବଙ୍ଗଳାର ସୁପ୍ରସିଦ୍ଧ ଗାୟକ ଅବିର୍ ବିଶ୍ବାସ ଗାଇଥିବା ବଙ୍ଗଳା ଗୀତ ‘ଦିଲ୍ କାନ୍ଦେରେ’ ଓ ୟୁଟ୍ୟୁବ୍ ସେନସେସନ୍‌ରାଜ୍ ବର୍ମନ୍‌ଙ୍କ କଣ୍ଠରେ ‘ଦିଲ୍ ବନ୍‌ଜାରା’ ମଧ୍ୟ ଅନୁରୂପ ସଫଳତା ହାସଲ କରିଛି। ପିଲାଟି ଦିନରୁ ସଙ୍ଗୀତ ପ୍ରତି ସୁନୀଲଙ୍କର ବିଶେଷ ଆଗ୍ରହ ଥିଲା। ସେ ନିଜେ ଗୀତ ଗାଇବା ସହିତ ନିଜ ଗୀତର ନିଜେ ସ୍ବର କରୁଥିଲେ। ୧୯୯୯ ମସିହାରେ ବିଜେବି ମହାବିଦ୍ୟାଳୟରେ ପଢ଼ିବା ସମୟରେ ଜଣେ କଣ୍ଠଶିଳ୍ପୀ ଭାବରେ ତାଙ୍କର ବେଶ୍ ସୁନାମ ରହିଥିଲା। ଖାସ୍‌ ଏହି କାରଣରୁ ନାଟ୍ୟ ସଂସଦର ସମ୍ପାଦକ ଭାବେ ସେ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। କିନ୍ତୁ ଅଭିନୟକୁ ଆସିବା ପରେ ସେ ଯେମିତି ସଙ୍ଗୀତଠୁ ଦୂରେଇଯାଇଥିଲେ। ହେଲେ ସଙ୍ଗୀତକୁ ନେଇ ତାଙ୍କ ମନରେ ଥିବା ସ୍ବପ୍ନ ଏବେ ସାକାର ରୂପ ନେଇଛି।

ଏ ସମ୍ପର୍କରେ ସୁନୀଲ କହନ୍ତି, ‘ଅଭିନୟ ଓ ସଙ୍ଗୀତ ମୋ ପାଇଁ ମୁଦ୍ରାର ଦୁଇଟି ପାର୍ଶ୍ବ ପରି। ମୁଁ ସବୁବେଳେ ମେଲୋଡିୟସ ଓ ସୋଲଫୁଲ୍ ମ୍ୟୁଜିକ କରିବାକୁ ପସନ୍ଦ କରେ। ବଲିଉଡରେ ତ ଚେଷ୍ଟା ଜାରି ରହିଛି ତେବେ କୌଣସି ଓଡିଆ ଚଳଚ୍ଚିତ୍ରରେ ସଙ୍ଗୀତ ଦେବା ପାଇଁ ଯଦି ଅଫର ମିଳେ ତେବେ ମୁଁ ଅଧିକ ଖୁସି ହେବି।’

ସମ୍ବନ୍ଧିତ ଖବର