ଓଡ଼ିଆ ଚଳଚ୍ଚିତ୍ର ‘ସପନର ପଥେ ପଥେ’ରୁ ନାୟିକା ଭାବେ କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ସମସ୍ତଙ୍କର ଲୈଲା ପାଲଟି ଯାଇଛନ୍ତି। ଓଲିଉଡ଼ରେ ପ୍ରଥମେ ଶିଶୁ କଳାକାର ଭାବେ ସମସ୍ତଙ୍କର ମନ ଜିଣିବା ପରେ ଏବେ ନୂଆ ଓଡ଼ିଆ ଛବି ‘ଲୈଲା ଓ ଲୈଲା’ର ନାୟିକା ହୋଇ ଦର୍ଶକଙ୍କ ମନରେ ରାଜ କରୁଛନ୍ତି । ନାୟିକା ସନମିରା ନାଗେଶ୍ଙ୍କୁ ସାକ୍ଷାତ କରିଥିଲେ ‘ସମ୍ବାଦ ଡଟ୍ ଇନ୍’ର ପ୍ରତିନିଧି ସୁମନ ମହାନ୍ତି ଏବଂ ମୋନାଲିସା ପରିଡ଼ା ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶ୍ନ: ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ରକୁ ଦର୍ଶକଙ୍କ ପକ୍ଷରୁ କେମିତି ପ୍ରତିକ୍ରିୟା ମିଳିଛି? ଏହା ସଫଳତା ପାଇଛି କି?
ଉତ୍ତର: ନିଶ୍ଚିତ ଭାବେ ସଫଳତା ପାଇଛି। କଠିନ ପରିଶ୍ରମ ପରେ ଯେତେବେଳେ ଫଳ ଭଲ ଆସିଥାଏ ତାହା ଜଣେ ଅଭିନେତ୍ରୀ ପାଇଁ ବହୁତ ଖୁସିର ବିଷୟ। ୭ ମାସର ପରିଶ୍ରମ ପରେ ଦର୍ଶକମାନଙ୍କର ପ୍ରତିକ୍ରିୟା ଦେଖି ମୁଁ ବହୁତ ଖୁସି ହୋଇଛି । ଆଗକୁ ଭଲ କାମ କରିବାର ସାହସ ଆସିଛି ।
ପ୍ରଶ୍ନ : ପ୍ରଥମ ଚଳଚ୍ଚିତ୍ର ‘ସପନର ପଛେ ପଛେ’ ଅପେକ୍ଷା ଏହି ଚଳଚ୍ଚିତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିଛି ?
ଉତ୍ତର : ପ୍ରକୃତରେ ମତେ ଦୁଇଟି ଚଳଚ୍ଚିତ୍ରରେ ପରିଶ୍ରମ କରିବା ପାଇଁ ପଡ଼ିଥିଲା । ‘ଲୈଲା ଓ ଲୈଲା’ ଏବଂ ‘ସପନର ପଥେ ପଥେ’ ଦୁଇଟି ସଂପୂର୍ଣ୍ଣ ଭିନ୍ନସ୍ୱାଦର କାହାଣୀ ଉପରେ ଆଧାରିତ ସିନେମା । ‘ସପନର ପଥେ ପଥେ’ରେ ମୁଁ ଜଣେ ଚୁପଚାପ ଝିଅର ଭୂମିକାରେ ନଜର ଆସିଥିବା ବେଳେ ‘ଲୈଲା ଓ ଲୈଲା’ରେ ମୁଁ ରାଉଡ଼ି ଭୂମିକାରେ ଅଭିନୟ କରିଛି । ମତେ ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ର ପାଇଁ ଓଜନ କମାଇବାକୁ ପଡ଼ିଥିଲା । ମୁଁ ଆଗରୁ ୬୫କିଲୋ ଥିଲି ,ବର୍ତ୍ତମାନ ୫୦ କିଲୋ ଅଛି । ମୁଁ ଏହା ପାଇଁ ଜିପ୍ , ସ୍କୁଟର , କାର ଚଲେଇବା ଶିଖିଛି।
ପ୍ରଶ୍ନ : ନିଜକୁ ଓଲିଡଡ୍ର କେଉଁ କଳାକାରଙ୍କ ସହ ତୁଳନା କରନ୍ତି କି?
ଉତ୍ତର : ମୁଁ ସର୍ବଦା ନିଜକୁ ନିଜ ସହ ତୁଳନା କରେ । ମୁଁ ଚେଷ୍ଟା କରେ ଆଜି ମୁଁ ଯାହା କଲି କାଲି ଏହାଠାରୁ ଅଧିକ ଭଲ କରିବି । ଯଦି ମୁଁ ସହ କଳାକାରଙ୍କ କଥା କହିବି ସେମାନେ ସମସ୍ତେ ବହୁତ ପ୍ରତିଭାଶାଳୀ ତାଙ୍କ ସହ ନିଜକୁ ତୁଳନା କରିବା ପାଇଁ ମତେ ଲାଜ ଲାଗେ ।
ପ୍ରଶ୍ନ : ଚଳଚ୍ଚିତ୍ରର ସୁଟିଂ ସମୟର କିଛି ସ୍ମରଣୀୟ ଘଟଣା?
ଉତ୍ତର : ବହୁତ ସ୍ମରଣୀୟ ଘଟଣା ଅଛି । ସେଥି ମଧ୍ୟରୁ ମୁଁ ଗୋଟିଏ ଆପଣଙ୍କ ସହ ସେୟାର କରିବାକୁ ଚାହିଁବି । ‘ଲୈଲା ଓ ଲୈଲା’ର ସୁଟିଂ ବେଳେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲି। ଚନ୍ଦକା ଅନ୍ତର୍ଗତ ଡ଼େରାସରେ ସୁଟିଂ ଚାଲିଥିଲା। ଏକ ଦୃଶ୍ୟରେ ମତେ ଜିପ ଚଲାଇବାର ଥିଲା । ମୁଁ ମାତ୍ର ତିନି ଦିନ ହେଲା ଡ୍ରାଇଭିଂ ଶିଖିଥିଲି । ନିର୍ଦ୍ଦେଶକ ଯେତେବେଳେ ପଚାରିଲେ, ତମେ ଜିପ୍ ଚଲାଇ ପାରିବ। ମୁଁ ହଁ ମାରଲି। ସୁଟିଂ ଆରମ୍ଭ ହେଲା। ଡେରାସର ସେ ସରୁ ରାସ୍ତାରେ ମୁଁ ଜିପ ନେଇ ଯାଉଥିଲା ବେଳେ ବର୍ଷା ହେଉଥିଲା। ଅଭ୍ୟାସ ନ ଥିବାରୁ ହଠାତ ଗାଡ଼ିର ସନ୍ତୁଳନ ବିଗିଡ଼ି ଯାଇଥିଲା । ତେବେ ମୁଁ ଗାଡ଼ିର ବ୍ରେକ୍ ମାରି ପାରେ ନାହିଁ । ସେ ଦିନ କେମିତି କେଜାଣି ମୁଁ ଗାଡ଼ିର ବ୍ରେକ ମାରି ଦେଇଥିଲି,ଯାହା ଫଳରେ ଜିପଟା ଦୁର୍ଘଟଣାଗ୍ରସ୍ତ ହେଉ ହେଉ ରହିଗଲା। ଆମେ ନିଶ୍ଚିତ ଦୁୁର୍ଘଟଣାରୁ ବର୍ତ୍ତି ଯାଇଥିଲୁ ।
ପ୍ରଶ୍ନ : ଆପଣଙ୍କ ଡ଼୍ରିମ ରୋଲ୍ କ’ଣ ରହିଛି?
ଉତ୍ତର : ମହିଳାପ୍ରଧାନ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହୁଁଛି । ନାୟିକା ହିଁ ସେ ଚଳଚ୍ଚିତ୍ରର ନାୟକ ହୋଇଥିବ । ଘୋଡ଼ା ଚଢ଼ି ଖଣ୍ଡା ଧରି ଖଳନାୟକଙ୍କ ସହ ଳଢ଼ୁଥିବା ଚରିତ୍ର ଯଦି ମତେ ଭବିଷ୍ୟତରେ ମିଳେ ମୁଁ ନିଶ୍ଚିତ ଭାବେ କରିବି।
ପ୍ରଶ୍ନ : ଆଗକୁ ଆଉ କେଉଁ କଳାକାରଙ୍କ ସହ ଅଭିନୟ କରିବା ପାଇଁ ଇଚ୍ଛା ରହିଛି ?
ଉତ୍ତର : ସେମିତି କିଛି ନାହିଁ ,ମୋର ସବୁ କଳାକାରଙ୍କ ସହ ଅଭିନୟ କରିବାର ଇଚ୍ଛା ରହିଛି।
ପ୍ରଶ୍ନ : ଅଭିନୟ ବ୍ୟତୀତ ଆଉ କ’ଣ କରିବାକୁ ଭଲ ଲାଗେ ?
ଉତ୍ତର : ମତେ ପେଣ୍ଟିଂ , ଗୀତ ଗାଇବା,ନାଚିବା , ଫୁଟବଲ ଖେଳିବା ପାଇଁ ଏବଂ ବିଭିନ୍ନ ପ୍ରକାରର ଖେଳ ଖେଳିବା ପାଇଁ ମତେ ବହୁତ ଭଲ ଲାଗିଥାଏ ।
ପ୍ରଶ୍ନ : ଅଭିନେତ୍ରୀ ହୋଇ ନଥିଲେ କ’ଣ ହୋଇଥାନ୍ତେ ?
ଉତ୍ତର : ଅଭିନେତ୍ରୀ ହୋଇ ନ ଥିଲେ ଆଇଏଏସ୍ ଅଫିସର ହୋଇଥାନ୍ତି। ନିଶ୍ଚତ ଭାବେ ଏଜୁକେସନ୍ ଲାଇନରେ ହିଁ କିଛି କରିଥାନ୍ତି।