ମୁମ୍ବାଇ: ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମଟି ପ୍ରଥମ ଦିନରେ ୪୦କୋଟି ଟଙ୍କା ଆୟ କରିଛି। ଫିଲ୍ମର ସଫଳତା ପରେ ଏବେ ଅଭିନେତା ସନ୍ନି ଦେଓଲ ନୂଆ ପିଢ଼ିଙ୍କୁ ଏକ ଉପଦେଶ ଦେଇଛନ୍ତି।
ଏକ ସାକ୍ଷାତକାରରେ ସନ୍ନି କହିଛନ୍ତି ଯେ, “ବଡି ବିଲଡିଂ କରିବା ଏବଂ ନାଚିବା ବନ୍ଦ କର। ଅଭିନୟ ଉପରେ ଧ୍ୟାନ ଦିଅ। ତୁମର ପ୍ରତିଭା ଅଛି, ଏହାକୁ ଆଗକୁ ନିଅ କାରଣ ତାହା ହିଁ ଆମର ଆବଶ୍ୟକ। ଆମେ ବଡି ବିଲଡର ନୁହଁ, କଳାକାର। ଆମକୁ ଫିଟ୍ ଏବଂ ସୁସ୍ଥ ହେବା ଉଚିତ୍। ତେଣୁ ସମସ୍ତେ ଅଭିନୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ।
ତେବେ 'ଗଦର-୨'ର ଆୟକୁ ଦେଖିବାକୁ ଗଲେ ଚଳଚ୍ଚିତ୍ରଟି ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୪୦କୋଟି ଟଙ୍କା ସଂଗ୍ରହ କରିଛି, ଯାହା ଆଦିପୁରୁଷର ପ୍ରଥମ ଦିନର ଆୟଠାରୁ ଢ଼େର ଅଧିକ। ପ୍ରଥମ ଦିନର ଆୟକୁ ଦେଖିଲେ ୪୦କୋଟି ଆୟ କରି ଫିଲ୍ମଟି ୨୦୨୩ର ଦ୍ବିତୀୟ ସର୍ବାଧିକ ଫିଲ୍ମ ହୋଇପାରିଛି। ଏହା ପୂର୍ବରୁ ଶାହରୁଖ ଖାନଙ୍କ ଫିଲ୍ମ ପଠାନ୍ ପ୍ରଥମ ଦିନରେ ୫୭କୋଟି ଟଙ୍କା ଆୟ କରିଥିଲା। ଶାହରୁଖଙ୍କ ରେକର୍ଡ ଭାଙ୍ଗିପାରିନଥିଲେ ବି ସନ୍ନି, ପ୍ରଭାସଙ୍କ ରେକର୍ଡ ଭାଙ୍ଗିଛନ୍ତି। ପ୍ରଭାସଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ ପ୍ରଥମ ଦିନରେ ମାତ୍ର ୩୨କୋଟି ଟଙ୍କା ଆୟ କରିଥିଲା, ଯାହା ଗଦର-୨ର ଆୟଠାରୁ ଢ଼େର କମ।