ମୁମ୍ବାଇ: ଆସନ୍ତା ମାସରେ ବିବାହ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଫିଲ୍ମ 'ପଲ ପଲ ଦିଲ କେ ପାସ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା, ଫିଲ୍ମର ଗୀତଗୁଡିକ ହିଟ୍ ହୋଇଥିବା ଦେଖାଯାଇଥିଲା। ଫିଲ୍ମ ଫ୍ଲପ ହେବା ପରେ ମଧ୍ୟ ଅଭିନେତା ହାର ମାନିନଥିଲେ ଏବଂ ବାପା ସନ୍ନିଙ୍କ ଫିଲ୍ମ 'ଭେଲେ'ରେ ଅଭିନୟ କରିଥିଲେ। କିନ୍ତୁ ଏହି ଫିଲ୍ମ ମଧ୍ୟ ହିଟ୍ ହୋଇପାରିନଥିଲା। ଅଭିନୟରେ ନିଜର ଯାଦୁ ଦେଖାଇପାରିନଥିବା କରଣ ଏବେ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଅଭିନେତା ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ଅଭିନେତା ନିର୍ବନ୍ଧ କରିସାରିଛନ୍ତି ଏବଂ ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି।
ତେବେ କାହାକୁ କରଣ ବିବାହ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ ସୂଚନା ମିଳିନାହିଁ। କେବଳ ଏତିକି ଜଣାପଡ଼ିଛି ଯେ, କରଣଙ୍କ ଭାବିପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରର ନୁହନ୍ତି। ଦୁହେଁ ବହୁବର୍ଷ ହେଲାଣି ପରସ୍ପରକୁ ଡେଟ୍ କରୁଥବା ବେଳେ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ, କିଛି ମାସ ତଳେ ଜେଜେ ଧର୍ମେନ୍ଦ୍ର ଏବଂ ଜେଜେମା ପ୍ରକାଶ କୌରଙ୍କ ବିବାହ ବାର୍ଷିକୀ ଅବସରରେ କରଣ ଦେଓଲ ତାଙ୍କ ପ୍ରେମିକାଙ୍କ ସହ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।