ସୁପାଂଶୁଙ୍କ ସ୍ବପ୍ନ

‌ରାଜ୍ୟରେ ପ୍ରେକ୍ଷାଳୟ ସଂଖ୍ୟା କମି କମି ଯାଉଛି। ଦର୍ଶକ ମଧ୍ୟ ଆଗ ଭଳି ଆଉ ସିନେମା ଦେଖିବାକୁ ଆସୁନାହାନ୍ତି। ବିତରକମାନେ ଆଉ ବୃତ୍ତିଗତ ଭାବେ ନୂଆ ସିନେମା ବିତରଣ କରୁନାହାନ୍ତି। ପ୍ରେକ୍ଷାଳୟରେ ଓଡ଼ିଆ ସିନେମାର ବ୍ୟବସାୟ ନ ଥିବାରୁ ମାଲିକମାନେ ମଧ୍ୟ ନୂଆ ଚଳଚ୍ଚିତ୍ର ଚଲେଇବାକୁ ମଙ୍ଗୁନାହାନ୍ତି। ଦୀର୍ଘ ଦୁଇବର୍ଷ ହେବ ମହାମାରୀ କରୋନା କାରଣରୁ ସିନେମା ହଲ୍ ବନ୍ଦ ରହିଛି। ଏସବୁ ସତ୍ତ୍ବେ ଓଡ଼ିଆ ଚଳଚ୍ଚିତ୍ର ତିଆରି କରିବାକୁ ଯେଉଁମାନେ ଆଗଭର ହେଉଛନ୍ତି, ହୁଏତ ସେମାନଙ୍କ ଭିତରେ କଳାତ୍ମକ ମାନସିକତା ରହିଛି। ସେମାନଙ୍କ ମଧ୍ୟରେ ସୁପାଂଶୁ ମହାନ୍ତି ଅନ୍ୟତମ। ଘର କେନ୍ଦ୍ରାପଡ଼ାର ହନ୍ତାପଡ଼ା, କିନ୍ତୁ ଏବେ ସେ ଭୁବନେଶ୍ବରରେ ରହୁଛନ୍ତି। ଜଣେ ଇଞ୍ଜିନିୟର ହେଇ ସେ ସିନେମା କରିବାକୁ ମନ ବଳେଇଛନ୍ତି। କାରଣ ଛାତ୍ର ଜୀବନରେ ସେ ସିନେମା ଦେଖିବାକୁ ଭଲ ପାଉଥିଲେ। ତାଙ୍କର ସ୍ବପ୍ନ ଥିଲା ସେ ଦିନେ ସିନେମା ତିଆରି କରିବେ।

ସୁପାଂଶୁଙ୍କ ପ୍ରଯୋଜିତ ପ୍ରଥମ ସିନେମା ଥିଲା ‘ଟୋକା ନଂ-୧’। ସିନେମା ତିଆରିରେ ତାଙ୍କୁ ସାଙ୍ଗ ସନ୍ଦୀପ ନାୟକ, ତାଙ୍କ ମାମୁ ଓ ଜେଜେବାପା ସାହାଯ୍ୟ କରୁଛନ୍ତି। ଏବେ ସୁପାଂଶୁ ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଚଳଚ୍ଚିତ୍ର ‘ଜେଜେ ନଂ-୧’ର ମହୁରତ ସରି ସୁଟିଂ ଆରମ୍ଭ ହେଇଯାଇଛି। ଜେଜେ ଓ ନାତି ଭିତରେ ଥିବା ଭାବପ୍ରବଣ ସମ୍ପର୍କକୁ ନେଇ ଏହାର କାହାଣୀ ପର୍ଯ୍ୟବସିତ। ଏହାର କାହାଣୀ ପରିକଳ୍ପନା ବିଶ୍ବରଂଜନ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବୈଦ୍ୟନାଥ ଦାସ। ଏଥିରେ ବିଭାସ ଓ ରୂପଶ୍ରୀ ନାୟକ-ନାୟିକା ଭୂମିକାରେ ଥିବା ବେଳେ ଅସିତ ପତି, ପ୍ରେମାଞ୍ଜନ ପରିଡ଼ା, ସର ଅପା, ବିଜୁ ବଡ଼ଜେନା, ସ୍ମିତା ମହାନ୍ତି, କୁସୁମ ତ୍ରିପାଠୀ ପ୍ରମୁଖ କଳାକାରଙ୍କୁ ଭିନ୍ନଭିନ୍ନ ଭୂମିକା‌‌ରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର