୨୦ ସେକେଣ୍ଡ୍‌ରେ ସୁପର୍‌ଷ୍ଟାର୍‌

ନା ଅଛି ଉତ୍ତେଜକ ଅଙ୍ଗଭଙ୍ଗୀ ନା ଅଙ୍ଗ ପ୍ରଦର୍ଶନ; ମାତ୍ର କୋଡ଼ିଏ ସେକେଣ୍ଡ୍‌ ଆଖିର ଅଭିନୟ ଦ୍ୱାରା ନବାଗତା ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ କେମିତି ରାତାରାତି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇ ଯାଇଛନ୍ତି, ଆପଣଙ୍କୁ ଅଜଣା ନ ଥିବ। ସେଇ ଦୃଶ୍ୟଟି ଅଛି ଏଇ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ରିଲିଜ୍‌ ହେବାକୁ ଯାଉଥିବା ମାଲୟାଲମ୍‌ ଫିଲ୍ମ ‘ଓରୁ ଅଦାର୍‌ ଲଭ୍‌’ର ଏକ ଗୀତ ‘‘ମନିକ୍ୟା ମଲାରାୟା ପୂଭି…’’ରେ। ଗୀତଟି ଗତ ସପ୍ତାହରେ ୟୁ-ଟ୍ୟୁବ୍‌ରେ ରିଲିଜ୍‌ ହେବା ପରେ ସାରା ଦେଶରେ ହଲଚଲ ସୃଷ୍ଟି ହୋଇ ଯାଇଛି। ପ୍ରିୟାଙ୍କର ସେହି ଆଖିନଚା କ୍ଲିପ୍‌ଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଯାଇଛି। ସାରା ଦେଶର ଲୋକେ ତାଙ୍କ ବିଷୟରେ ଅଧିକ ଜାଣିବାଲାଗି ଚାହୁଛନ୍ତି। ସେହି ଦିନରୁ ସେ ଭାରତରେ ଗୁଗଲ୍‌ ସର୍ଚ୍ଚରେ ସବୁଠାରୁ ଉଚ୍ଚରେ ରହିଛନ୍ତି। କହିବା ଅନାବଶ୍ୟକ ଯେ ଏହାକୁ ନେଇ ଏତେ ଚର୍ଚ୍ଚା ହେଉଛି ଯେ ଫିଲ୍ମଟି ରିଲିଜ୍‌ ହେବା ପରେ କୌତୂହଳ ପାଇଁ ମାଲୟାଲମ୍‌ ଭାଷା ବୁଝି ନ ଥିଲେ ମଧ୍ୟ ତା’କୁ ସାରା ଭାରତରେ ଏତେ ଲୋକ ଦେଖିବେ ଯେ ତାହା ସୁପର୍‌ହିଟ୍‌ ହେବା ନିଶ୍ଚିତ ହୋଇ ଯାଇଛି। ଏହା ସହିତ ଏକ ସମସ୍ୟା ମଧ୍ୟ ଆସି ପହଞ୍ଚି ଯାଇଛି। ଅଭିଯୋଗ ଆସିଛି ଯେ ଉକ୍ତ ଦୃଶ୍ୟଟିର ପୃଷ୍ଠଭୂମିରେ ଯେଉଁ ଗୀତଟି ଅଛି, ତାହା ମୁସଲ୍‌ମାନ୍‌ମାନଙ୍କ ପାଇଁ ଏକ ପବିତ୍ର ଗୀତ ଭାବେ ଗଣାଯାଏ। ତେଣୁ ପ୍ରିୟାଙ୍କର ଏ ପ୍ରକାର ଅଙ୍ଗଭଙ୍ଗୀ ସେ ଗୀତର ପବିତ୍ରତାକୁ ନଷ୍ଟ କରୁଛି ବୋଲି କିଛିଲୋକ ଅଦାଲତରେ ଆବେଦନ କରିଛନ୍ତି।

ପ୍ରିୟା ତ୍ରିଶୂରର ବିମଲା କଲେଜରେ ବି.କମ୍‌ ପଢୁଛନ୍ତି। ତାଙ୍କର ବୟସ ମାତ୍ର ୧୮ ବର୍ଷ। ସେ ମୋହିନୀୟାଟମ୍‌ ନୃତ୍ୟରେ ପ୍ରଶିକ୍ଷିତ। ‘ଓରୁ ଅଦାର୍‌ ଲଭ୍‌’ କେତେ ହିଟ୍‌ ହେବ ବା ଏ ଫିଲ୍ମଟିକୁ ନେଇ ଆଉ କେତେ ବିବାଦ ଆସିବ, ସମୟ କହିବ। କିନ୍ତୁ ଗୋଟିଏ କଥା ସତ ଯେ ସେଇ ୨୦ ସେକେଣ୍ଡ୍‌ର ଚକ୍ଷୁ-ଅଭିନୟ ୧୦ ଦିନ ପୂର୍ବେ ଅଜଣା ଅଶୁଣା ଥିବା ତ୍ରିଶୂରର ଏଇ ଝିଅଟିକୁ ରାତାରାତି ବଡ଼ ତାରକା କରି ଦେଇଛି। ପ୍ରିୟା ଏବେ କେବଳ ମାଲୟାଲମ୍‌ ଫିଲ୍ମ ନୁହେଁ, ତାମିଲ୍‌ ଫିଲ୍ମ; ଏପରିକି ବଲିଉଡ୍‌ ଫିଲ୍ମର ମଧ୍ୟ ଅଫର୍‌ ପାଉଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, ବଲିଉଡ୍‌ ନିର୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ଫିଲ୍ମରେ କାମ କରିବାଲାଗି ତାଙ୍କର ବହୁତ ଇଚ୍ଛା।
ପ୍ରିୟା ତ ୨୦ ସେକେଣ୍ଡ୍‌ରେ ସୁପର୍‌ଷ୍ଟାର୍‌ ପାଲଟି ଯାଇଛନ୍ତି, ଆମେ ଆଶା କରୁଛୁ, ତାଙ୍କର ଚାହିଦା ୨୦ ଦିନ ଭିତରେ ଶେଷ ହୋଇ ଯିବନି ଏବଂ ସେ ଅଭିନୟରେ ଅନେକ ଆଗକୁ ଯିବେ।

ସମ୍ବନ୍ଧିତ ଖବର