କେରଳର ମାଲାୟାଲମ ସୁପରଷ୍ଟାର ମୋହନଲାଲ ବିଶ୍ବନାଥନ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସାମନା ହେବାକୁ ଯାଉଛନ୍ତି। ଏହି ଖବର କେରଳରେ ହଇଚଇ ସୃଷ୍ଟି କରିଛି। ମନି ଲଣ୍ଡରିଂ ମାମଲାରେ ଉକ୍ତ ଅଭିନେତାଙ୍କୁ ଇଡିର ଡାକରା ଆସିଛି। ରିପୋର୍ଟ ଅନୁଯାୟୀ, ମୋହନଲାଲଙ୍କୁ ଆସନ୍ତା ସପ୍ତାହରେ ତାଙ୍କ କୋଚି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି। କୁଖ୍ୟାତ ଠକ ଆଣ୍ଟିକ୍ ଡିଲର ତଥା ମୋନସନ  ମାଭୁଙ୍କଲଙ୍କ ସହ ମନି ଲଣ୍ଡରିଂ ସମ୍ପର୍କରେ ତାଙ୍କର କ’ଣ ସମ୍ପର୍କ ରହିଛି ତା’ର ତନାଘନା କରିପାରେ ଇଡି। ମୋନସନଙ୍କୁ ନଟବରଲାଲଙ୍କ ସହ ତୁଳନା କରାଯାଇଛି। ଲୋକଙ୍କ ଠାରୁ ୧୦କୋଟି ଟଙ୍କା ଠକିଥିବା ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ମୋନସନଙ୍କୁ କେରଳ ପୁଲିସ ଗିରଫ କରିଥିଲା। ମୋନସନ ଥରେ ତାଙ୍କ କେରଳରେ ଥିବା ଘରକୁ ଆସିଥିଲେ ହେଲେ ସେ କେଉଁ କାରଣ ପାଇଁ ଆସିଥିଲେ ସେନେଇ କୌଣସି ସୂଚନା ଏଯାଏଁ ମିଳିପାରି ନାହିଁ।

Advertisment

ମୋନସନ କେରଳର ଅଲପୂଜ୍ଜା ଜିଲ୍ଲାର ଚେରତାଲାର ଜଣେ ୟୁଟୁବର୍ ବୋଲି ନିଜକୁ ଦର୍ଶାଉଛନ୍ତି। ୧୦ କୋଟି ଟଙ୍କା ଠକେଇ କରିଥିବା ଏହି ୟୁଟୁବର ନିଜକୁ ପ୍ରାଚୀନ ବସ୍ତୁର ସଂଗ୍ରହ କର୍ତ୍ତା ବୋଲି ଲୋକ ସମ୍ମୁଖରେ ପ୍ରତିପାଦିତ କରୁଥିଲେ। ଟିପୁ ସୁଲତାନଙ୍କ ସିଂହାସନ, ଆଉରଙ୍ଗଜେବଙ୍କ ମୁଦ୍ରିକା, ଛତ୍ରପତୀ ଶିବାଜୀଙ୍କ ଭଗବତ୍ ଗୀତାର ପଟି ଏବଂ ସେଣ୍ଟ ଏଣ୍ଟନୀଙ୍କ ନଖ ଭଳି ଦୁର୍ଲଭ ଜିନିଷ ସେ ରଖିଥିବା ଦାବି କରୁଥିଲେ। ଏସବୁ ବ୍ୟତୀତ ତାଙ୍କୁ ସେଲିବ୍ରିଟି ମାନଙ୍କ ସହ ଫଟୋ ଉଠାଇବା ପସନ୍ଦ କରୁଥିଲେ। ମୋନସନ ସୁପରଷ୍ଟାର ମୋହନଲାଲ, ସୁଧାକରନ ଓ ରୋଶୀ ଆଁଗଷ୍ଟିନଙ୍କ ଭଳି ନେତାଙ୍କ ସହ ଆଗରୁ ଫଟୋ ଉଠାଇଥିବା ଚର୍ଚ୍ଚା ହେଉଛି। କୌତୁହଳର ବିଷୟ ହେଉଛି ଗିରଫ ସମୟରେ ତାଙ୍କ ବଡିଗାର୍ଡଙ୍କ ଠାରୁ ନକଲି ବନ୍ଧୁକ ଜବତ ହୋଇଛି ଯାହା ଅବିକଳ ଅସଲି ବନ୍ଧୁକ ଭଳି ଦେଖାଯାଉଥିଲା। ବର୍ତ୍ତମାନ ଏଥିରେ ମୋହନଲାଲଙ୍କ ନାମ ସାମ୍ନକୁ ଆସିଛି। ତେବେ ଏସମ୍ପର୍କରେ ଇଡି କାହାକୁ କେଉଁଭଳି ପଚରାଉଚରା କରୁଛି ତାହା ଦେଖିବାକୁ ବାକି ରହିଲା।