ନୂଆଦିଲ୍ଲୀ: ପ୍ରଯୋଜକ ଏକତା କପୁରଙ୍କୁ ତାଙ୍କ ୱେବ ସିରିଜ୍‌ xxxର ଆପତ୍ତିଜନକ ବିଷୟବସ୍ତୁ ପାଇଁ ସୁପ୍ରିମକୋର୍ଟ ଆଜି ଭର୍ତ୍ସନା କରିଛନ୍ତି। ଏକତା ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରିଥିବା ୱେବ୍‌ ସିରିଜ୍‌ xxxରେ ସୈନିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା। ଏକତା କପୁର ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥି‌ଲେ। କିନ୍ତୁ କୋର୍ଟ ଆଜି ଏକତା କପୁରଙ୍କ ଉପରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ଓଟିଟି ପ୍ଲାଟଫର୍ମରେ ତୁମେ ଯେଉଁଭଳି ବିଷୟବସ୍ତୁ ଦେଉଛ ତାହା ଯୁବପିଢ଼ିଙ୍କ ମସ୍ତ‌ିଷ୍କକୁ ବିଗାଡ଼ି ଦେଉଛି। ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏଭଳି ସିରିଜ୍‌ ଯୁବକମାନଙ୍କ ମନକୁ ଦୂଷିତ କରିଦେଉଛି।

Advertisment

publive-image

ଏକତା କପୁରଙ୍କ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କୋର୍ଟରେ ଯୁକ୍ତି ରଖିଥିଲେ। ରୋହତଗି କହିଥିଲେ ପୂର୍ବରୁ ଏହି ମାମଲାରେ ପାଟନା ହାଇକୋର୍ଟରେ ଏକ ଆବେଦନ ହୋଇଛି। କିନ୍ତୁ ମାମଲାର ତ୍ବରିତ ଶୁଣାଣି ପାଇଁ ତାଲିକାଭୁକ୍ତ ହେବା ଆଶା କରାଯାଉନି। ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଅନ୍ୟ ଏକ ମାମଲାରେ ଏକତା କପୁରଙ୍କୁ ସୁରକ୍ଷା ଦେଇଥିଲେ ବୋଲି ରୋହତଗି କହିଥିଲେ। ଶୁଣାଣି ସମୟରେ ରୋହତଗି କହିଥିଲେ ଓଟିଟି ପ୍ଲାଟଫର୍ମରେ ଦିଆଯାଇଥିବା ବିଷୟବସ୍ତୁ ଗ୍ରାହକ ଦେୟ ଆଧାରିତ। ଦେଶରେ ପସନ୍ଦର ସ୍ବାଧୀନତା ଅଛି ବୋଲି ସେ କହିଥିଲେ। ଏହାର ଉତ୍ତରରେ କୋର୍ଟ କହିଥିଲେ, ଓଟିଟିରେ ବିଷୟବସ୍ତୁ ସମସ୍ତଙ୍କ ପାଇଁ ଉପଲବ୍ଧ। ଲୋକମାନଙ୍କୁ ତୁମେ କେଉଁଭଳି ସାମଗ୍ରୀ ପସନ୍ଦ କରିବାର ସ୍ବାଧୀନତା ଦେଉଛ। ତୁମେ ଯୁବପିଢ଼ିଙ୍କ ମସ୍ତିଷ୍କକୁ ପ୍ରଦୂଷିତ କରି ଅନର୍ଥ ପ୍ରସାର କରୁଛ ବୋଲି କୋର୍ଟ କହିଥିଲେ।

କୋର୍ଟ ଆଜି କପୁରଙ୍କ ଆଇନଜୀବୀ ରୋହତଗିଙ୍କ ଉପରେ ମଧ୍ୟ ବର୍ଷିଥିଲେ। କୋର୍ଟ କହିଥିଲେ ପ୍ରତି ଥର ଆପଣ ଏହି କୋର୍ଟକୁ ଆସୁଛନ୍ତି। ଏଣିକି ଏଭଳି ପିଟିସନ ପାଇଁ ଆମେ ଜରିମାନା ପକାଇବୁ। କୋର୍ଟ କହିଥିଲେ, ଆପଣ ମହକିଲଙ୍କୁ ଏହା ଜଣାନ୍ତୁ ଯେ, କେବଳ ପାଖରେ ଟଙ୍କା ଅଛି ବୋଲି ତୁମେ ଜଣେ ଭଲ ଆଇନଜୀବୀଙ୍କୁ କିଣି ପାରିବନି।