୨୦୨୩ର ଚର୍ଚ୍ଚିତ ଓଡ଼ିଆ ସିନେମା ‘ଡେଲିଭରି ବୟ’ର ଦ୍ବିତୀୟ ଭାଗ ‘ଡେଲିଭରି ବୟ-୨’ର ନିର୍ମାଣ ସରିଲାଣି। ସାଧାରଣ ଭାବେ ପ୍ରଥମ ଭାଗର ମୁଖ୍ୟକଳାକାର ଦ୍ବିତୀୟ ଭାଗରେ ଦେଖିବାକୁ ମିଳିଥାଆନ୍ତି। କିନ୍ତୁ ଏ ସିନେମା କ୍ଷେତ୍ରରେ ଗୋଟିଏ ବ୍ୟତିକ୍ରମ ଦେଖିବାକୁ ମିଳିଛି। ‘ଡେଲିଭରି ବୟ’ରେ ଜଣେ ମହିଳା ଆଇନଜୀବୀ ଭୂମିକାରେ ପ୍ରଭାବଶାଳୀ ଅଭିନୟ କରିଥିବା ସୂର୍ଯ୍ୟମୟୀଙ୍କ ଅନୁପସ୍ଥିତିକୁ ଦର୍ଶକ ନିଶ୍ଚୟ ଅନୁଭବ କରିବେ। ବିଶେଷ ଭାବେ ପ୍ରତିପକ୍ଷ ଓକିଲ ବଚ୍ଚନ ଭାଇ (ବୁଦ୍ଧାଦିତ୍ୟ)ଙ୍କ ସହ ସୂର୍ଯ୍ୟମୟୀଙ୍କର କୋର୍ଟ ରୁମ୍ ଦୃଶ୍ୟ ବେଶ୍ ରୋଚକ ଥିଲା। ଏ ନେଇ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ କହିଛନ୍ତି, ସୂର୍ଯ୍ୟମୟୀ ଜଣେ ଉଚ୍ଚକୋଟୀର କଳାକାର। ‘ଡେଲିଭରି ବୟ’ରେ ଚମତ୍କାର ଅଭିନୟ ବି କରିଥିଲେ। କିନ୍ତୁ ‘ଡେଲିଭରି ବୟ-୨’ର କାହାଣୀ ଭିନ୍ନ ଏବଂ ସେଥିରେ ସୂର୍ଯ୍ୟମୟୀଙ୍କ ପାଇଁ କୌଣସି ଚରିତ୍ର ନ ଥିବାରୁ ତାଙ୍କୁ ନିଆଯାଇନାହିଁ।

Advertisment

ପ୍ରଥମ ଭାଗରେ ବୁଦ୍ଧାଦିତ୍ୟ, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ, ପ୍ରିୟମ୍ବଦା ଓ ପୁପୁଲ୍ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହାର କାହାଣୀ ପରିକଳ୍ପନା କରିଥିଲେ ଜଣାଶୁଣା ପ୍ରଯୋଜକ ଜେ.ଆର୍‌.ଏମ୍, ସଂଳାପ ଲେଖିଥିଲେ ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନ ତ୍ରିପାଠୀ।