ନୂଆଦିଲ୍ଲୀ: ଭିକି ଜୈନ ଓ ଅଙ୍କିତା ଲୋଖଣ୍ଡେଙ୍କୁ ବିବାହ ପରେ ଦ୍ବିତୀୟ ଥର କୌଣସି ରିୟଲିଟି ସୋ’ରେ ଦେଖିବାକୁ ମିଳିଛି। କାରଣ ସବୁଠାରୁ ବଡ଼ ରିୟଲିଟି ସୋ’ ‘ବିଗ୍ ବସ୍’ ପୂର୍ବରୁ ଦୁହିଁଙ୍କୁ ‘ସ୍ମାର୍ଟ ଯୋଡ଼ି’ରେ ଦେଖିବାକୁ ମିଳିଥିଲେ।
ଆପଣ ଜାଣନ୍ତି ଯେ ଭିକିଙ୍କ ପୂର୍ବରୁ ଅଙ୍କିତାଙ୍କ ଜୀବନରେ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଥିଲେ। ସେ ଦୁହେଁ ‘ପବିତ୍ର ରିସ୍ତା’ରେ ସାଙ୍ଗ ହୋଇ କାମ କରିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୨୦୧୦ ମସିହାରେ ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ।
ସୁଶାନ୍ତ ଅଙ୍କିତାଙ୍କୁ ରିୟଲିଟି ସୋ’ ‘ଝଲକ୍ ଦିଖ୍ଲା ଯା’ ମଞ୍ଚରେ ପୂରା ଦୁନିଆ ସାମ୍ନାରେ ପ୍ରେମ ନିବେଦନ କରିଥିଲେ। ୨୦୧୬ ମସିହାରେ ସେ ଦୁହେଁ ପରସ୍ପରଙ୍କୁ ବିବାହ କରିବେ ବୋଲି କଥା ଉଠିଥିଲା। ମାତ୍ର ସେହି ବର୍ଷ ହିଁ ଦୁହେଁ ସେମାନଙ୍କ ସଂପର୍କରେ ପୂର୍ଣ୍ଣଛେଦ ପକାଇଥିଲେ। ସୁଶାନ୍ତ ନିଜ କ୍ୟାରିୟର୍ ଉପରେ ଧ୍ୟାନ ଦେବାକୁ ଚାହୁଁଥିବାରୁ ସଂପର୍କ ଛିନ୍ନ କରିଥିବା କଥା ଅଙ୍କିତା ଏକ ସାକ୍ଷାତ୍କାରରେ କହିଥିଲେ।
ଅଲଗା ହେବା ପରେ ବି ସୁଶାନ୍ତଙ୍କ ମନରେ ଅଙ୍କିତାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଥିଲା। ସେ ଅଙ୍କିତାଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଏକ ବାର୍ତ୍ତା ଦେଇଥିଲେ। ଯାହାକି ତାଙ୍କର ଅଙ୍କିତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଶେଷ ବାର୍ତ୍ତା ଥିଲା।
ଅଙ୍କିତା ୨୦୧୯ ମସିହାରେ ‘ମଣିକର୍ଣ୍ଣିକା’ ଫିଲ୍ମ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ। ତେବେ ସୁଶାନ୍ତ ଅଙ୍କିତାଙ୍କୁ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ୍ ଲେଖିଥିଲେ ଯେ ‘‘ବହୁତ ସୁନ୍ଦର ଲାଗୁଛି ଅଙ୍କିତା। ଏହାକୁ ଦେଖି ମୁଁ ବହୁତ ଖୁସି। ଈଶ୍ବର ଆପଣଙ୍କୁ ବହୁତ ସୁଖ ଓ ସଫଳତା ଦିଅନ୍ତୁ।’’