ସୁଶାନ୍ତଙ୍କ ଜନ୍ମଦିନରେ ତାଙ୍କର ଏକ ଅଦେଖା ଭିଡିଓ ସେୟାର କଲେ ପୂର୍ବତନ ପ୍ରେମିକା ଅଙ୍କିତା

ନୂଆଦିଲ୍ଳୀ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ୩୫ତମ ଜନ୍ମଦିନ‌ ଅବସରରେ ତାଙ୍କର ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କର ଏକ ପୁରୁଣା ଭିଡିଓକୁ ଟ୍ବିଟର୍‌ରେ ସେୟାର କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଅଙ୍କିତା ସୁଶାନ୍ତଙ୍କର ଯେଉଁ ଭିଡିଓକୁ  ଟ୍ବିଟ୍‌ରରେ ସେୟାର କରିଛନ୍ତି ସେଥିରେ ସୁଶାନ୍ତ ‘ଯାଦୁ ତେରେ ନଜର, ଖୁସୁବୁ ତେରେ ବଦନ…’ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

ଅଙ୍କିତା ଭିଡିଓଟିକୁ ସେୟାର୍‌ କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ସୁଶାନ୍ତ। ତମ‌େ ବାସ୍ତବରେ ଶାଖାରୁଖ ଖାନଙ୍କର ଜଣେ ସତ ପ୍ରଶଂସକ। ଯେଉଁଠାରେ ଥାଅ, ହସୁଥାଅ।’

ଅଙ୍କିତା ସେୟାର୍‌ କରିଥିବା ଏହି ଭିଡିଓଟିକୁ ଦେଖି ପ୍ରଶଂସକମାନେ ଖୁବ୍ ଭାବପ୍ରବଣ ହୋଇ ପଡ଼ିଛନ୍ତି। ଭିଡିଓରେ ସୁଶାନ୍ତ ଲମ୍ବା କେଶରେ ନଜର ଆସିଛନ୍ତି। ଭିଡିଓଟି ସୁଶାନ୍ତଙ୍କ ଏମ୍‌ଏସ୍‌ ଧୋନି ଚଳଚ୍ଚିତ୍ରର ସୁଟିଂ ସମୟର ବୋଲି ଅନୁମାନ କରାଯାଉଛି।

ସୁଶାନ୍ତଙ୍କ ପ୍ରଶଂସକମାନେ ଏବେ ବି ତାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ୍‌ ମିଡିଆରେ ଅଭିଯାନ ଜାରି ରଖିଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ଗତବର୍ଷ ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହା ଏକ ଆତ୍ମହତ୍ୟା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡ଼ି ସାରିଥିଲେ ବି ଏହାକୁ ହତ୍ୟା ବୋଲି ଦାବି କରି ନ୍ୟାୟ ପାଇଁ ଏବେ ବି ସୁଶାନ୍ତ ପ୍ରଶଂସକ ଓ ସଂପର୍କୀୟ ଅଡ଼ି ବସିଛନ୍ତି।

ସମ୍ବନ୍ଧିତ ଖବର