ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ପୁଣି ଥରେ ତଦନ୍ତ ହେବ। ଏହି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବିଜେପି ବିଧାୟକ ରାମ କଦମ ଅଭିଯୋଗ କରି କହିଛନ୍ତି,‘ଉଦ୍ଧବ ଠାକରେ ସରକାର ୬୮ ଦିନ ପର୍ଯ୍ୟନ୍ତ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରି ନଥିଲା। ଯେତେବେଳେ ସୁଶାନ୍ତ ସିଂହଙ୍କ ଘରର ଫର୍ଣ୍ଣିଚର କାଢ଼ିଦିଆଗଲା, ଘରଟି ରଙ୍ଗ କରାଗଲା, ଘରଟି ପୁରୁଣା ମାଲିକଙ୍କୁ ହସ୍ତାନ୍ତର କରାଗଲା ସେତେବେଳେ ଯାଇ ମାମଲା ସିବିଆଇକୁ ହସ୍ତାନ୍ତର ହେଲା। ସେ ସମୟରେ ଯାଞ୍ଚ ପାଇଁ ବିହାରରୁ ଆସିଥିବା ପୁଲିସକୁ ତଦନ୍ତ କରିବାକୁ ଅନୁମତି ଦିଆଗଲା ନାହିଁ। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଉଦ୍ଧବ ଠାକରେଙ୍କ ସରକାର ପ୍ରମାଣ ନଷ୍ଟ କରିବାର ଦୁସାହସ କରିଥିଲା।
ନିକଟରେ ଏହି ମାମଲାରେ ସିବିଆଇ ଏକ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କୁହାଯାଇଛି ଯେ ଅଭିନେତାଙ୍କ ମୃତ୍ୟୁର କାରଣ ଜୀବନ ହାରିବା ହେତୁ ହୋଇଥିଲା। କେହି ତାଙ୍କୁ ଏଥିପାଇଁ ଉସୁକାଇ ନଥିଲେ।
ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ସିବିଆଇ ନ୍ୟାୟପାଳିକା ସମ୍ମୁଖରେ କ୍ଲୋଜର ରିପୋର୍ଟ ଉପସ୍ଥାପନ କରିଛନ୍ତି। ତେବେ ଆରୁଷିଙ୍କ ମାମଲାରେ ଯେଉଁଭଳି ଭାବରେ ଉପସ୍ଥାପନ ହୋଇଥିବା କ୍ଲୋଜର ରିପୋର୍ଟକୁ ନ୍ୟାୟପାଳିକା ଗ୍ରହଣ କରି ନଥିଲେ ସେହିପରି ପୁଣିଥରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରାଯିବା ଉଚିତ।