ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ୟା’ ଭିତରେ ୨୦ ଦିନ ବିତିଗଲାଣି। ମାତ୍ର ଆଜି ବି ତାଙ୍କ ପ୍ରଶଂସକଙ୍କ ମନରୁ ଲିଭୁନି ସୁଶାନ୍ତଙ୍କ ସ୍ମୃତି। ସୁଶାନ୍ତଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି।
ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରେହା ଚକ୍ରବର୍ତ୍ତୀ। କେଉଁଠି ନା କେଉଁଠି ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ନେଇ ରେହାଙ୍କୁ ଟାର୍ଗେଟ କରାଯାଉଛି।
ନିକଟରେ ରେହାଙ୍କର ଏକ ଭିିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ସୁଟ୍ ହୋଇଛି ସୁଶାନ୍ତଙ୍କ ଘରେ। ଭିଡିଓଟି ରେହାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଦେଖିବାକୁ ମିଳିଛି।
ଭିଡିଓରେ ବାଜୁଥିବା ଏକ ଗୀତରେ ରେହା ନିଜେ ଅଭିନୟ କରିଥିବାର ଦେଖିବାକୁ ମିଳିିଛି। ଗୀତଟିକୁ ରେହା ନିଜର ପ୍ରିୟ ଗୀତ ବୋଲି ତାଙ୍କ ଇନ୍ଷ୍ଟା ପୋଷ୍ଟ୍ରେ ଲେଖିଛନ୍ତି। ଏହାକୁ ସେ ଅନେକ ବର୍ଷ ଧରି କଲ୍ରଟ୍ୟୁନ୍ ବି ରଖିଛନ୍ତି ବୋଲି ରେହା ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଦୀର୍ଘ ଦିନ ଧରି ବିଷାଦଗ୍ରସ୍ତ ରହିବା ପରେ ଜୀବନ ହାରିଛନ୍ତି ବୋଲି ତାଙ୍କ ଘରୁ ଡିପ୍ରେସନ୍ ଔଷଧ ଓ ପ୍ରେସ୍କିପସନ ମିଳିବା ପରେ ସନ୍ଦେହ କରାଯାଉଛି। ତେବେ ଏହାର ସତ୍ୟତା ନେଇ ଅଧିକ ତଦନ୍ତ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।