ବଡ଼ ପରଦାରେ ଦେଖିବାକୁ ମିଳିବ ସୁଶାନ୍ତଙ୍କ ମୃତ୍ୟୁଠାରୁ ରିୟାଙ୍କୁ ପଚରାଉଚରା ପର୍ଯ୍ୟନ୍ତ ଦୃଶ୍ୟ !

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଗତ ବର୍ଷ ଜୁନ୍ ୧୪ରେ ହୋଇଥିଲା। ତାଙ୍କ ମୃତଦେହ ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରୁ ମିଳିଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି। ଏବେ ବି ଲୋକେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି କହୁଛନ୍ତି । ଯେତେବେଳେ ବି ସୁଶାନ୍ତଙ୍କ କଥା ମନେପଡ଼ୁଛି ତାଙ୍କ ପ୍ରଶଂସକମାନଙ୍କ ଆଖିରେ ଲୁହ ଜକେଇ ଆସୁଛି।

ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନ ଉପରେ ଆଧାରିତ ଏକ ସିନେମା ନିର୍ମାଣ କରାଯାଉଛି। ଯଦିଓ ସିନେ-ନିର୍ମାତା ସେମିତି କିଛି ଦାବି କରି ନାହାନ୍ତି, କିନ୍ତୁ ଟିଜର ଦେଖି ଅନୁମାନ ଲଗାଯାଇ ପାରୁଛି କି ଏହା ସୁଶାନ୍ତଙ୍କ ଜୀବନ ଉପରେ ଏହା ଆଧାରିତ।

ଏହି ସିନେମାଟିର ଶୀର୍ଷକ ‘ନ୍ୟାୟ: ଦି ଜଷ୍ଟିସ୍’ ରଖାଯାଇଛି। ନିକଟରେ ଏହାର ଟିଜର ରିଲିଜ୍ ହୋଇଛି । ଏହି ସିନେମାରେ ସୁଶାନ୍ତ ସିଂ ରାଜପୁତଙ୍କ ଭୂମିକାରେ ଅଭିନେତା ଜୁବେର ଖାନ ଥିବାବେଳେ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକାରେ ଶ୍ରେୟା ଶୁକ୍ଲା ଅଭିନୟ କରିଛନ୍ତି । ଏହା ବ୍ୟତୀତ ଫିଲ୍ମରେ ଅସରାନୀ, ଅମନ ବର୍ମା, ଶକ୍ତି କପୁର, ସୁଧା ଚନ୍ଦ୍ରନ, କିରଣ କୁମାର, ରଜା ମୁରାଦ ଏବଂ ସୋମି ଖାନ ମଧ୍ୟ ଅଛନ୍ତି ।

ଏହି ଫିଲ୍ମର ଦିଲୀପ ଗୁଲାଟି ନିର୍ଦ୍ଦେଶନା ଦେଇଥିବା ବେଳେ ସରଲା ଏ ସାରୋଓଗୀ ଏବଂ ରାହୁଲ ଶର୍ମା ନିର୍ମାତା ରହିଛନ୍ତି । ଏହି ଫିଲ୍ମ ୧୧ ଜୁନରେ ରିଲିଜ୍ ହେବ ବୋଲି ଘୋଷଣା ହୋଇଛି । ତେବେ ଏହି ସିନେମାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସିନେମା ତ ନିର୍ମାଣ କରାଯାଇଛି କିନ୍ତୁ ସୁଶାନ୍ତଙ୍କ ପରିବାରଠାରୁ ‌ଏଥିପାଇଁ କୌଣସି ପ୍ରକାର ଅନୁମତି ଅଣାଯାଇ ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର