ସୁଶାନ୍ତଙ୍କ ଚୂଡ଼ାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅସନ୍ତୋଷ ବ୍ୟକ୍ତ କଲେ ଶେଖର ସୁମନ, କହିଲେ ଏପରି ହେବାର ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଚୂଡ଼ାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଟ୍ବିଟର୍‌ରେ ନିଜର ମତ ରଖିଛନ୍ତି ସିନେ ନିର୍ମାତା ଶେଖର ସୁମନ । ସୁଶାନ୍ତଙ୍କ ସହ କୌଣସି ପ୍ରକାରର ବଳପ୍ରୟୋଗ ହୋଇନାହିଁ, ତାଙ୍କର ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା ବୋଲି ରିପୋର୍ଟରେ ପ୍ରକାଶ ପାଇବା ପରେ ନିଜ କ୍ଷୋଭ ପ୍ରକାଶ କରି ଏକ ଟ୍ବିଟ୍‌ କରିଛନ୍ତି ଶେଖର।

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ତ’ ହେଲେ ଘୋଷଣା ହୋଇଗଲା ଯେ ସୁଶାନ୍ତଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା। ଏଥିରେ ବିଶ୍ବାସ କରନ୍ତୁ ନାହିଁ। ମୁଁ ସନ୍ଦେହ କରିଥିଲି ଯେ ଏହା ହିଁ ଘଟିବ ବୋଲି। ଏ ସବୁକିଛି ପୂର୍ବରୁ ସ୍ଥିର ହୋଇଥିଲା। ଏହି କାରଣରୁ ମଞ୍ଚ ଗଠନ କରିବା ଅନେକ ଗୁରୁତ୍ବପୂର୍ଣ୍ଣ ହୋଇ ଯାଇଥିଲା। ଦୟାକରି ପୁଣି ଥରେ ତଦନ୍ତ ପାଇଁ ଆପଣଙ୍କ ସ୍ବର ଉଠାନ୍ତୁ।’

ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ  ଶବ ବ୍ୟବଚ୍ଛେଦ ରିପୋର୍ଟ ସଂପର୍କିତ ତଥ୍ୟ ମୁମ୍ବାଇ ପୁଲିସ୍ ପ୍ରକାଶ କରିଛି ‌। ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପୂରାପୂରି ଭାବେ ଆତ୍ମହତ୍ୟା‌। ତାଙ୍କ ସହ କୌଣସି ପ୍ରକାରର ବଳପ୍ରୟୋଗ ହୋଇଥିବାର ପ୍ରମାଣ ମିଳିନାହିଁ।

ଜାଣିବାକୁ ମିଳିଛି ଯେ ପ୍ରଥମ ବ୍ୟବଚ୍ଛେଦ ରିପୋର୍ଟରେ ୩ ଜଣ ଡାକ୍ତରଙ୍କ ଦସ୍ତଖତ ଥିବା ବେଳେ ଅନ୍ତିମ ରିପୋର୍ଟରେ ୫ ଜଣ ଡାକ୍ତର ଦସ୍ତଖତ କରିଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ, ଏହା ପୂରାପୂରି ଆତ୍ମହତ୍ୟା ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର