ଦିନ ବିତିବା ସହ ସୁଶାନ୍ତଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ ଜୁନ୍ ୮ ତାରିଖରେ ହୋଇଥିବା ହ୍ବାଟସ୍-ଆପ୍ ବାର୍ତାଳାପ ଆଜି ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ସୁଶାନ୍ତଙ୍କ ପରିବାର ସଦସ୍ୟ କେବଳ ସୁଶାନ୍ତ ମାନସିକ ଅବସାଦରେ ପୀଡ଼ିତ ଥିବା କଥା ଯେ ଜାଣିଥିଲେ, ତାହା ନୁହେଁ, ଭଉଣୀ ପ୍ରିୟଙ୍କା ହିଁ ତାଙ୍କୁ ଆଙ୍ଗ୍ଜାଇଟି ଔଷଧ ପାଇବାରେ ସହଯୋଗ କରିଥିଲେ। ଏହି ବାର୍ତାଳାପରେ ପ୍ରିୟଙ୍କା ସୁଶାନ୍ତଙ୍କୁ ଏକ ସପ୍ତାହ ପାଇଁ ଲିବ୍ରିୟମ୍ ଖାଇବା ଓ ତା’ପରେ ନେକ୍ସିଟୋ ୧୦ ଏମ୍ଜି ଦିନକୁ ଥରେ ପ୍ରତିଦିନ ପ୍ରାତଃଭୋଜନ ପରେ ଖାଇବାକୁ କହିଥିବା ଜଣାପଡ଼ିଛି। ଏହାପରେ ସୁଶାନ୍ତ ଯେତେବେଳେ ପ୍ରେସ୍କ୍ରିପ୍ସନ୍ ଦେବାକୁ କହିଥିଲେ, ପ୍ରିୟଙ୍କା କହିଥିଲେ ବ୍ୟସ୍ତ ହୁଅନି, ମୋର ଜଣେ ସାଙ୍ଗ ଡାକ୍ତର ଅଛି। ସେ ଆମକୁ ମୁମ୍ବାଇର ଜଣେ ଭଲ ମାନସିକ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରେଇ ଦେବ। ଏସବୁ ଗୋପନୀୟ ରହିବ। ତୁ ବ୍ୟସ୍ତ ହୁଅନି। ଏହାପରେ ପ୍ରିୟଙ୍କା ଏକ ପ୍ରେସ୍କ୍ରିପ୍ସନ୍ ସୁଶାନ୍ତଙ୍କୁ ପଠାଇଥିବା ଏହି ବାର୍ତାଳାପରୁ ଜଣାପଡ଼ିଛି।
ସୁଶାନ୍ତଙ୍କ ୩୬ ମିନିଟ୍ର ଅଡିଓ କ୍ଲିପ୍
ସୁଶାନ୍ତଙ୍କ ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି, ଯାହା ତାଙ୍କ ମୃତ୍ୟୁର ୫ ମାସ ପୂର୍ବର ଅର୍ଥାତ୍ ଜାନୁଆରିର ବୋଲି ଜଣାପଡ଼ିଛି। ଏହି କ୍ଲିପ୍ରେ ସୁଶାନ୍ତଙ୍କ ସମେତ ରିୟା ଓ କିଛି ଆର୍ଥିକ ଉପଦେଷ୍ଟାଙ୍କ ସ୍ୱର ଶୁଣିବାକୁ ମିଳୁଛି। ଫରେନ୍ସିକ୍ ପରୀକ୍ଷକମାନେ ଏହି ଅଡିଓ କ୍ଲିପ୍ର ପରୀକ୍ଷଣ କରିଥିବା ବେଳେ ଏହା ଅସଲି ବୋଲି ଜଣାପଡ଼ିଛି। ୩୬ ମିନିଟ୍ର ଏହି କ୍ଲିପ୍ରେ ସୁଶାନ୍ତ ବଲିଉଡ୍ ଛାଡ଼ିବା, ଭବିଷ୍ୟତର ଯୋଜନା ଏବଂ ଖର୍ଚ୍ଚ କମାଇବା ନେଇ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି।
କ୍ଲିପ୍ରେ ଶୁଣିବାକୁ ମିଳିଛି, ସୁଶାନ୍ତ ମୁମ୍ବାଇ ଛାଡ଼ିବାକୁ ଚାହୁଥିଲେ। ଏହାର ପ୍ରତ୍ୟୁତ୍ତରରେ ରିୟା କହୁଛନ୍ତି, ଆମେ ମାସେ ଦୁଇମାସ ପାଇଁ ଗୋଆ ଯିବା ଏବଂ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା। ଏହାପରେ ସୁଶାନ୍ତ ନିଜ ଅବସର ଯୋଜନା ବାବଦରେ ଆଲୋଚନା କରିବା ସହ ଏହା କିଭଳି ହେବ, ସେ ନେଇ ସମସ୍ତଙ୍କ ପରାମର୍ଶ ଲୋଡ଼ୁଥିବା ଶୁଣିବାକୁ ମିଳିଛି। ଏହା ଉପରେ ରିୟା କହୁଛନ୍ତି, ସର୍ବପ୍ରଥମେ ସେହି ଟଙ୍କା କଥା ଚିନ୍ତା କରିବାକୁ ହେବ, ଯାହା ସୁଶାନ୍ତଙ୍କ ପାଖରେ ରହିଛି। ସେଥିରୁ ରିଟର୍ଣ୍ଣ କେତେ ମିଳିବ, ତାହା ଉପରେ ବିଚାର କରିବାକୁ ହେବ।