ନିଜ ମାଆ ଓ ଭାଇଙ୍କ ଛବି ସେୟାର୍‌ କରି ଟ୍ବିଟର୍‌ରେ ଭାବପ୍ରବଣ ପୋଷ୍ଟ୍‌ ଲେଖିଲେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ

ମୁମ୍ବାଇ: ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ପୂରା ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାରର ସଦସ୍ୟ। ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ସୁଶାନ୍ତଙ୍କର ଓ ତାଙ୍କ ମାଆଙ୍କର ଏକ ଛବି ଆଙ୍କି ଟ୍ବିଟର୍‌ରେ ଏକ ଭାବପ୍ରବଣ ଭରା ପୋଷ୍ଟ୍‌ କରିଛନ୍ତି। ସେ ଲେଖିଛନ୍ତି, ‘ମୋ ମାଆ ମୋ ଶକ୍ତିର ଉତ୍ସ ଥିଲେ ଓ ମୋ ଭାଇ ମୋ ଗର୍ବ ଥିଲେ। ଦୁଇ ଜଣ ଯାକ ଆମକୁ ଛାଡ଼ି ଖୁବ୍‌ ଶୀଘ୍ର ପଳାଇଲେ। ଏହି ହୃଦୟ ବିଦାରକ କ୍ଷତିର ମୁକାବିଲା କରିବାରେ ମୁଁ ଅସମର୍ଥ।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୁଶାନ୍ତ ବାନ୍ଦ୍ରାର ଯେଉଁ ଆପାର୍ଟମେଣ୍ଟ୍‌ରେ ଆତ୍ମହତ୍ୟା କରିଥିଲେ ମିତୁ ସିଂହ କିଛି ଦିନ ପୂ‌ର୍ବେ ତାଙ୍କ ସହ ସେହି ଆପାର୍ଟମେଣ୍ଟ୍‌ରେ ଥିଲେ। ସେ ଜୁନ୍‌ ୮ ତାରିଖରେ ସୁଶାନ୍ତଙ୍କ ପାଖକୁ ଆସି ୧୨ ତାରିଖରେ ଫେରି ଯାଇଥିଲେ। ଜୁନ୍‌ ୧୪ ତାରିଖରେ ସୁଶାନ୍ତଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ମିତୁ ସିଂଙ୍କୁ ସୁଶାନ୍ତ ରୁବି ଦି ବୋଲି ଡାକୁଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ମିତୁ ତୁରନ୍ତ ଆସି ସୁଶାନ୍ତଙ୍କ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ମିତୁ ସିଂହ ଏକ ଭାବପ୍ରବଣ ଭରା ନୋଟ୍‌ ଲେଖିଥିଲେ। ସେ ତାଙ୍କ ନୋଟ୍‌ରେ ଲେଖିଥିଲେ, ‘ତୁମେ ଛାଡ଼ିଯାଇଥିବା ଯନ୍ତ୍ରଣା ଓ ଶୂନ୍ୟତା ବର୍ଣ୍ଣନାଯୋଗ୍ୟ ନୁହେଁ। ମୋର ଭାଇ, ମୋର ଜାନ, ମୁଁ ତଥାପି ବିଦାୟ ନେଉଛି। ମୁଁ ମୋର ହୃଦୟରେ ଆମର ପବିତ୍ର ବନ୍ଧନ ସାଇତି ରଖିବି ଏବଂ ଏହାକୁ ଅନନ୍ତକାଳ ପର୍ଯ୍ୟନ୍ତ ବଞ୍ଚାଇ ରଖିବି। ଆମର ସ୍ମୃତି ଉପରେ ମୁଁ ହସିବା ଏବଂ କାନ୍ଦିବା ଜାରି ରଖିବି, ଯେପର୍ଯ୍ୟନ୍ତ ଆମେ ପୁନର୍ବାର ନ ଭେଟିଛେ। ତୁମେ ସବୁବେଳେ ମୋର ଗର୍ବ .ହୋଇ ରହିବ!’

ସମ୍ବନ୍ଧିତ ଖବର