ବିବାହ ବଞ୍ଚାଇବାକୁ ମୁଁ କାମ ଛାଡ଼ି ‌ଘରେ ରୋଷେଇ ବି କଲି, ହେଲେ ରାଜୀବ ବଦଳିଲେନି: ଚାରୁ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍‌ ଓ ତାଙ୍କ ଧର୍ମପତ୍ନୀ  ଚାରୁ ଅସୋପାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା କଥା ତ ଆପଣ ଜାଣନ୍ତି। ପ୍ରେମ ବିବାହ କରିବା ସତ୍ତ୍ବେ ସେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇ ଏବେ ସେମାନେ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ସେ ଦୁହେଁ ପ୍ରତିଦିନ ପରସ୍ପରଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଉଛନ୍ତି। ନିକଟରେ ଚାରୁ ପୁଣି ଏକ ସାକ୍ଷ‌ାତ୍‌କାରରେ ରାଜୀବଙ୍କ ଉପରେ ଭିନ୍ନ ଅଭିଯୋଗ ଆଣିଛନ୍ତି।

ରାଜୀବ ଚାରୁଙ୍କ ଉପରେ ଲଗାଇଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଚାରୁ ଆହୁରି ବି କହିଛନ୍ତି ଯେ ରାଜୀବଙ୍କ ବ୍ୟବହାର ତାଙ୍କ ପ୍ରତି ଖୁବ୍ ଖରାପ ରହୁଥିଲା। ଏପରିକି ରାଜୀବ ଚାରୁଙ୍କୁ ତାଙ୍କ ଝିଅ ସହ ଭିଡିଓ ବି ବନାଇବାକୁ ଦେଉ ନଥିଲେ ବୋଲି ଚାରୁ ଅଭିଯୋଗ ଅ‌ାଣିଛନ୍ତି। ସେ କିନ୍ତୁ ନିଜ ୟୁଟ୍ୟୁବ୍‌ ଭିଡିଓ ପାଇଁ ତା‌ଙ୍କ ଝିଅକୁ ବ୍ୟବହାର କରୁଥିବା କଥ‌ା ଚ‌ାରୁ କହିଛନ୍ତି।

ସେ ଆହୁରି ବି କହିଛନ୍ତି, ‘ମୋ ବିବାହ ବଞ୍ଚାଇବାକୁ ମୁଁ ବହୁତ ଚେଷ୍ଟା କରିଛି। କାରଣ ମୋତେ ଭୟ ଥିଲା ଯେ ଲୋକ କହିବେ ଯେ ଝିଅ ଭିତରେ ହିଁ କିଛି ଅସୁବିଧା ଅଛି, ସେଥିପାଇଁ ଦ୍ବିତୀୟ ବିବାହ ବି ବଞ୍ଚିପାରିଲାନି। ମୋତେ ସେ ମାରଧର ବି କରନ୍ତି। ମାତ୍ର ମୁଁ ଅନେକ ଥର ନିଜ ବିବାହ ବଞ୍ଚାଇବାକୁ ଚୁପ୍‌ ରହିଛି। ଏପରିକି କାମ ଛାଡ଼ି ଘରେ ରହି ରାଜୀବଙ୍କ ପାଇଁ ରୋଷେଇ କଲେ ହିଁ ମୋ ବିବାହ ବଞ୍ଚିପାରିବ ବୋଲି ମୋତେ ପରାମର୍ଶ ଦିଆଗଲା। ମୁଁ ସେ କାମ ବି କଲି। ହେଲେ ପରିସ୍ଥିତି ସୁଧୁରିଲାନି।’

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ଜୁନ୍‌ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦମ୍ପତି। ରାଜୀବ ଏବଂ ତାଙ୍କ ପ୍ରେମିକା ଚାରୁ ଅସୋପାଙ୍କ ବିବାହ କୋର୍ଟରେ ହୋଇଥିଲା।

ସମ୍ବନ୍ଧିତ ଖବର