ମୁମ୍ବାଇ: ବ୍ରହ୍ମାଣ୍ଡ ସୁନ୍ଦରୀ ଓ ପରବର୍ତ୍ତୀ ସମୟରେ ଅଭିନେତ୍ରୀ ପାଲଟି ଲୋକଙ୍କ ମନରେ ରାଜ୍‌ କରୁଥିବା ସୁସ୍ମିତା ସେନଙ୍କର ଫ୍ୟାନ୍‌, ଫଲୋଇଂର ଅଭାବ ନାହିଁ। ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଦକ୍ଷତା ହେତୁ ସେ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ବନାଇବାରେ ସମର୍ଥ ହୋଇଛନ୍ତି। ଆପଣ ଜାଣନ୍ତି ଯେ ଅଭିନେତ୍ରୀ ଏଯାଏ ବିବାହ କରିନାହାନ୍ତି। ବିବାହ ନକରି ମଧ୍ୟ ସେ ମାଆ ବନି ସାରିଛନ୍ତି। ସୁସ୍ମିତା ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ତାଙ୍କୁ ବଡ଼ ବି କରି ସାରିଲେଣି।

Advertisment

ତେବେ ମଜାଦାର କଥା ହେଉଛି, ସୁସ୍ମିତାଙ୍କ ଝିଅକୁ ତାଙ୍କ ମାଆଙ୍କର ପ୍ରକୃତ ପରିଚୟ ଜଣାନାହିଁ। ନିକଟରେ ଏକ ସାକ୍ଷାତ୍‌କାର ଦେଇ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ତାଙ୍କ ଝିଅ ଆଲିସାନ୍‌ ଥ‌ରେ ତାଙ୍କୁ ପଚାରିଲେ, ‘‘ମାଅ‌ା ଲୋକ ତୁମ ସହ କାହିଁକି ଫଟୋ ନେବାକୁ ଚାହୁଁଛନ୍ତି?’’ ସୁସ୍ମିତା ଉତ୍ତର ଦେଲେ, ‘‘ମୁଁ ଟିକେ ଜଣାଶୁଣା, ସେଥିପାଇଁ’’।  ତୁମେ କ’ଣ ପାଇଁ ଲୋକପ୍ରିୟ?’’ ବୋଲି ଝିଅର ପ୍ରଶ୍ନରେ ସୁସ୍ମିତା ଉତ୍ତର ଦେଲେ କି, ‘‘ମୁଁ ମିସ୍‌ ୟୁନିଭର୍ସ ଥିଲି। ମୁଁ ଜଣେ ଅଭିନେତ୍ରୀ ମଧ୍ୟ। ସେଥିପାଇଁ ଲୋକ ମୋତେ ଭଲପାଆନ୍ତି।’’ ତା’ପରେ ଆଲିସାନ୍‌ କହିଲେ, ‘‘ତମେ କି ଅଭିନେତ୍ରୀ? ମୁଁ ତ ତୁମକୁ କେବେ ଅଭିନୟ କରିବାର ଦେଖିନାହିଁ।’’

ସୁସ୍ମିତା ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି, ‘‘ମୋ ଝିଅର ଦେଖାଶୁଣା କରିବାକୁ ମୁଁ ଲମ୍ବା ବିରତି ନେଇଥିଲି। ତା’ପରେ ମୁଁ ସେଇଦିନ ଅନୁଭବ କଲି ଯେ ପୁଣି ଥରେ ମୋତେ କାମକୁ ଫେରିବାକୁ ହେବ। ମୋ ଝିଅ ମୋର ‘ରିମାଇଣ୍ଡର୍‌’ ପରି ମୋତେ ମନେ ପକାଇଦେଲା। ସେବେ‌ଠୁ ଆଉ ଘରେ ବସିବିନି ବୋଲି ନିଷ୍ପତ୍ତି ନେଇ ସମସ୍ତଙ୍କୁ କଲ୍‌ କରି ମୁଁ ଅଭିନୟକୁ ଫେରିବାକୁ ଚାହେଁ ବୋଲି ଜଣାଇଲି।’’

ସୁସ୍ମିତାଙ୍କୁ ନିକଟରେ ୱେବ୍‌ ସିରିଜ୍‌ ‘ତାଲି’ରେ ଦେଖିବାକୁ ମିଳିଥିଲା। ସେଥିରେ ସେ ଜଣେ କିନ୍ନର ଭୂମିକା ନିଭାଇଥିଲେ। ତାଙ୍କର ସେହି ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ଓ ଭଲପାଇବା ଦେଇଛନ୍ତି।