ସୁନ୍ଦର ଓ ସ୍ମାର୍ଟ: ଗହଣାର କେତେ ରୂପ

ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଗହଣାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମୟ ସହିତ ତାଳ ଦେଇ ଗହଣାର ଅନେକ ପରିବର୍ତ୍ତନ ହୋଇଛି। ଏବେ ମଧ୍ୟ ଗହଣାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ଜାରି ରହିଛି। କିଛି ଗହଣା ଦୀର୍ଘ ଦିନ ଧରି ମହିଳାଙ୍କ ପସନ୍ଦ ହୋଇ ରହିଥିବା ବେଳେ ଆଉ କିଛି ଗହଣା ଅଳ୍ପ ଦିନରେ ବଜାରୁ ଉଭାନ ହୋଇଯାଇଛି। ସମୟ ସହିତ ମହିଳାଙ୍କ ଗହଣା ଓ ପିନ୍ଧିବା ଶୈଳୀରେ ବି ପରିବର୍ତ୍ତନ ହୋଇଛି। ପୂର୍ବରୁ ଆଦିବାସୀ ସମ୍ପ୍ରଦାୟର ମହିଳା ପର, କଉଡ଼ି, କାଠ, ବାଉଁଶ, ମ‌ାଟି, ପିତ୍ତଳରେ ତିଆରି ଗହଣା ପିନ୍ଧୁଥିବା ବେଳେ ଏବେ ଏହା କେବଳ ଆଦିବାସୀଙ୍କ ଗହଣା ହୋଇ ନାହିଁ। ନୂଆ ନୂଆ ରକମର ଗହଣା କିଣିବାକୁ ମହିଳାଙ୍କ ମଧ୍ୟରେ ଉତ୍ସାହ ପାରମ୍ପରିକ ଗହଣା ଓ ଲୋକନୃତ୍ୟରେ ପିନ୍ଧା ଯାଉଥିବା ଗହଣାକୁ ଟ୍ରେଣ୍ଡରେ ଆଣିଛି। ପୁଣି ବଜାରକୁ ଫେରିଥିବା କାଠରେ ତିଆରି ଗହଣାକୁ ନେଇ
ହରପ୍ରିୟା ପୃଷ୍ଟିଙ୍କ ସ୍ବତନ୍ତ୍ର ପ୍ରସ୍ତୁତି….

କାଠରେ ଆସବାବପତ୍ର, ଘରକରଣା ଜିନିଷ ତିଆରି ହେବା ଏକ ସ୍ବାଭାବିକ କଥା। ହେଲେ ଏହାକୁ ଗହଣା ଆକାରରେ ପିନ୍ଧିବା ଏବେ ଏକ ଟ୍ରେଣ୍ଡ ପାଲଟିଛି। ହାଲୁକା କାଠରେ ତିଆରି ହେଉଥିବା ଏହି ଗହଣାଗୁଡିକ ପିନ୍ଧିବା ପାଇଁ ସହଜ ହୋଇଥିବା ବେଳେ ବିଭିନ୍ନ ଡିଜାଇନ୍‌ରେ ଏହ‌ା ଅନ୍‌ଲାଇନ୍‌ ଓ ବଜାରରେ ମିଳୁଛି। ତେବେ କାଠରେ ତିଆରି ଚୁଡ଼ିକୁ କଲେଜ ପଢ଼ୁଆ ଝିଅମାନେ ଅଧିକ ପସନ୍ଦ କରୁଛନ୍ତି। ଏହା ଦେଖିବାକୁ ଆକର୍ଷଣୀୟ ବି ହୋଇଛି। କଲେଜ ଡ୍ରେସ୍ ସହିତ ଖାପ ଖାଉଛି। କେବଳ ଚୁଡ଼ି ନୁହେଁ କାଠ କାନଫୁଲ, ନେକ୍‌ଲେସ୍‌, ହାରର ମଧ୍ୟ ଚାହିଦା ଅଛି।

Baggout

ପ୍ଲେନ୍‌ ଶାଢ଼ି ସହିତ ଏଭଳି ନେକ୍‌ଲେସ୍‌ ଖୁବ୍ ଆକର୍ଷଣୀୟ ଲାଗୁଛି। କେବଳ ସେତିକି ନୁହେଁ କର୍ମଜୀବୀ ମହିଳାମାନେ ଜିନ୍ସ, ଟପ୍ କିମ୍ବା କୁର୍ତ୍ତି ସହ କାଠର ବଡ଼ କାନଫୁଲ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କିମ୍ବା ଛୋଟ କାନଫୁଲ ପିନ୍ଧିଲେ ଏହା ସହ ବଡ଼ ନେକ୍‌ଲେସ୍‌ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏବେ ଏଭଳି ଗହଣା ରାଜଧାନୀରେ ପଡୁଥିବା ମେଳାରେ ମିଳିବା ସହିତ ଅନ୍‌ଲାଇନ୍ ଓ ବିଭିନ୍ନ ମଲରେ ଉପଲବ୍ଧ ହେଉଛି। ଏ ନେଇ ମାର୍କେଟ୍‌ ବିଲ୍‌ଡିଙ୍ଗ୍‌ ଫେରିଟେଲ୍ ଗହଣା ଦୋକାନର ବ୍ୟବସାୟୀ ରାଜୁ କାନୁନଗୋଙ୍କ କହିବା କଥା କାଠ ଗହଣା ଏବେ ସମସ୍ତେ ଅଧିକ ପସନ୍ଦ କରୁଛନ୍ତି। କାଠ କାନଫୁଲ ସବୁଦିନ ବ୍ୟବହାର ପାଇଁ ୧୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ, ପାର୍ଟି ପାଇଁ ଥିବା ଗହଣା ୨୦୦ରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାର ଚାହିଦା ବର୍ଷ ତମାମ ରହୁଛି।

ସମ୍ବନ୍ଧିତ ଖବର