ପ୍ରେମିକ ଅର୍ସଲାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜାନେ

ମୁମ୍ବାଇ: ଛାଡପତ୍ର ପରେ ମଧ୍ୟ ହ୍ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜାନେ ଖାନ ବନ୍ଧୁ ହୋଇ ରହିଛନ୍ତି। ଦୁହେଁ ନିଜ ପିଲାମାନଙ୍କ ପାଇଁ ପ୍ରାୟତଃ ଏକାଠି ସମୟ ବିତାଉଥିବାର ଦେଖାଯାଏ। ବିବାହ ବିଚ୍ଛେଦ ପରେ ହ୍ରିତିକ ରୋଶନ ଆଜିକାଲି ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସବା ଆଜାଦଙ୍କୁ ଡେଟ କରୁଥିବା ବେଳେ ପତ୍ନୀ ସୁଜାନେ ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି। ଦୀର୍ଘ ଦିନ ହେଲାଣି ହ୍ରିତିକ ଏବଂ ସବା ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସୁଜାନ, ପ୍ରେମିକ ଅର୍ସଲାନଙ୍କ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ସାମ୍ନାକୁ ଆସିଛି।

କୁହାଯାଉଛି ଯେ, ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏବେ ଦୁହେଁ ବିବାହ ବନ୍ଧନ‌‌ରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବିବାହ ଖୁବ କମ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଦୁହେଁ କେବେ ବିବାହ କରିବେ ତାହା ସ୍ପଷ୍ଟ ହୋଇପାରିନାହିଁ।

ତେବେ ହ୍ରିତିକ ଓ ସବାଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ଟ୍ବିଟରରୁ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ହ୍ରିତିକ୍ ପ୍ରଥମେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସବା ଏବଂ ଜଣେ ରାପର୍ ନଜର ଆସିଥିଲେ। ସେବେଠାରୁ ଦୁହିଁଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ସବା ହ୍ରିତିକଙ୍କୁ ତାଙ୍କର ପ୍ରଶଂସା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଏହିପରି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପରକୁ ମେସେଜ କରିବା ପରେ ପ୍ରଥମେ ବନ୍ଧୁତା ହେଲା ଏବଂ ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ସେବେଠାରୁ ହ୍ରିତିକ ଏବଂ ସବା ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର