ସୋସିଆଲ ମିଡ଼ିଆରେ ନିଜ ଫେକ୍‌ ଆଇଡି ବିଷୟରେ ସୂଚନା ଦେଲେ ଓଲିଉଡ୍‌ ନାୟକ ସ୍ୱରାଜ୍‌

ଭୁବନେଶ୍ୱର: ଓଲିଉଡର ୟଙ୍ଗ୍‌ ସେନସେନ୍‌ ସ୍ୱରାଜଙ୍କ ଫେକ୍‌ ସୋସିଆଲ୍‌ ମିଡିଆ ଆଇଡିର ପଦ୍ଦାଫାସ ହୋଇଛି। ଆଜିକାଲି ସୋସିଆଲ ମିଡ଼ିଆରେ ନିଜ ମନପସନ୍ଦ କଳାକାରଙ୍କ ପ୍ରତି ଭଲ ପାଇବା ଦେଖାଇବାକୁ ଯାଇ ପ୍ରସ୍ତୁତ କରାଯାଉଛି ଅନେକ ଫ୍ୟାନପେଜ୍‌ । ତେବେ ଏହା ଦ୍ୱାରା କିଛି ପ୍ରଶଂସକ ଫାଇଦା ଉଠାଇଛନ୍ତି ଓଲିଉଡ଼ର ନବାଗତ ନାୟକ ସ୍ୱରାଜ ବାରିକଙ୍କ ଆଇଡ଼ିର । ସେମାନେ ସ୍ୱରାଜ ନାମରେ ଏକ ଫେକ(ମିଛ) ଆଇଡ଼ି ପ୍ରସ୍ତୁତ କରି କିଛି ଲୋକଙ୍କଠାରୁ ଟଙ୍କା ନେଇଥିବା ବେଳେ ଲୋକଙ୍କ ସହିତ ଅଶାଳୀନର ସହ କଥାବାର୍ତ୍ତା କରିଥିବା ଅଭିଯୋଗ ହୋଇଛି । ଏହା ବିଷୟରେ ଖୋଦ ସ୍ୱରାଜ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଲାଇଭ ଆସି ଦର୍ଶକଙ୍କୁ ଜଣାଇଛନ୍ତି ।

ସେ ଲାଇଭ୍‌ରେ ଦର୍ଶକଙ୍କୁ ତାଙ୍କର ଅଫିସିଆଲ ଆଇଡ଼ିର ଲିଙ୍କ୍‌ ଦେବା ସହ ଅନ୍ୟ ଫେକ ଆଇଡ଼ିଗୁଡ଼ିକୁ ଅନଫୋଲୋ ଏବଂ ଅନଫ୍ରେଣ୍ଡ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ଏହାପରେ ମଧ୍ୟ ଫେକ (ମିଛ) ଆଇଡ଼ି ପ୍ରସ୍ତୁତ କରିଥିବା ବ୍ୟକ୍ତି ନସୁଧୁରୁଛନ୍ତି ଏବଂ ପୁଣି ଥରେ ତାଙ୍କ ନାମର ବ୍ୟବହାର କରନ୍ତି ତେବେ ବାଧ୍ୟ ହୋଇ ତାଙ୍କୁ ସୋସିଆଲ ମିଡ଼ିଆ ଛାଡ଼ିବା ପାଇଁ ପଡ଼ିବ ବୋଲି କହିଛନ୍ତି ସ୍ୱରାଜ । ଏହା ସହ ଅନ୍ୟ କଳାକାରମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ ହେବା ପାଇଁ ଅନୁରୋଧ କରିଛନ୍ତି ସ୍ୱରାଜ । ତେବେ ଓଲିଉଡ଼ରେ ଶିଶୁକଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିବା ସ୍ୱରାଜ ମୁଖ୍ୟ ଅଭିନେତା ଭାବେ ‘ତୁ ମୋ ଲଭଷ୍ଟୋରି’ ଏବଂ ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ରରେ ଦେଖାଯାଇଛନ୍ତି ।

ସମ୍ବନ୍ଧିତ ଖବର