ସୁପରିଚିତ ନାୟକ ସ୍ବରାଜଙ୍କୁ ମିଳିଛି ଆଉ ଗୋଟିଏ ସିନେମା। ଶୀର୍ଷକ ଚୂଡ଼ାନ୍ତ ହୋଇ ନଥିବା ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ କିଏ ନାୟିକା ହେବେ ତାହା ବି ସ୍ଥିରୀକୃତ ହୋଇନାହିଁ। ତେବେ ବାବୁସାନ୍‌ଙ୍କ ଅଭିନୀତ ‘ବୋଉ ବୁଟ୍ଟୁ ଭୂତ’ ଫେମ୍ ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେବା ଲାଗି ଚୁକ୍ତିବଦ୍ଧ ହୋଇଛନ୍ତି। ଅମିତ କୁମାର ଦାଶ ଏହାର ସଂଳାପ ରଚନା କରିଛନ୍ତି। ଏହାର କଳାକାର ଚୟନ ଚାଲିଥିବା ବେଳେ ସୁଟିଂ ଆସନ୍ତା ଜୁଲାଇ ମାସରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଏଣେ  ଓଡ଼ିଶାର ବୈଜ୍ଞାନିକ ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଶେଷ କିଷାନ: ବଲାସିଂଘାରୁ ବର୍ଲିନ୍‌’ରେ ନାୟକ ଭୂମିକାରେ ଅଛନ୍ତି ସ୍ବରାଜ।  ଏହା ଚଳିତବର୍ଷ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି। ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଭାର ତୁଲାଉଥିବା ବେଳେ ଏଥିରେ ସ୍ବରାଜଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ କୁକିଜ୍‌ ସ୍ବାଇଁ।

Advertisment

ସୂଚନାଯୋଗ୍ୟ, ଶିଶୁ କଳାକାରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସ୍ବରାଜ ‘ତୁ ମୋ ଲଭ୍‌ ଷ୍ଟୋରି’ (୨୦୧୭) ଜରିଆରେ ନାୟକ ଭାବେ ପଦାର୍ପଣ କରିଥିଲେ। ତା’ପରେ ସେ ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ‘ତୁ ମୋ ଲଭ୍‌ ଷ୍ଟୋରି-୨’, ‘ଦିସ୍‌ ଇଜ୍ ସବୁ ମାୟାରେ ବାୟା’, ‘ଓୟେ ଅଞ୍ଜଳି’, ‘ପ୍ରଥା’, ‘ଦିଲ୍ ମୋର ମାନେନା’, ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି’, ‘ଟିକେ ଟିକେ ଅଚିହ୍ନା ତୁ’ ଓ ‘ଖୋକା ଭାଇ ତମ ପାଇଁ’ ଆଦି ସିନେମାରେ ନଜର ଆସିଛନ୍ତି।