ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜଙ୍କ ବାୟୋପିକରେ ନଜର ଆସିବେ ତାପସୀ ପନ୍ନୁ, ଫଟୋ ସେୟାର କରି ସ୍ପଷ୍ଟ କଲେ ଅଭିନେତ୍ରୀ

ମୁମ୍ବାଇ: ଏବେ ବଡ଼ ବଡ଼ ବ୍ୟକ୍ତିତ୍ବମାନଙ୍କୁ ନେଇ ବାୟୋପିକ୍ ତିଆରି କରିବା ବଲିଉଡରେ ଏକ ଟ୍ରେଣ୍ଡ ପାଲଟି ଗଲାଣି। ନିଜ ନିଜ ପେସାରେ ଅଜସ୍ର ସଫଳତା ହାସଲ କରିଥିବା ବ୍ୟକ୍ତିିତ୍ବକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ପାଇବା ଅଧିକ ଥିବାରୁ ବଲିଉଡ ଏଭଳି ବା‌ୟୋପିକ୍ ନିର୍ମାଣ କରୁଥିବା ଜଣାପଡ଼ିଛି। ପୂର୍ବରୁ ଏମଏସ୍ ଧୋନୀ, ସଚ୍ଚିନ ତେନ୍ଦୁଲକର ଓ ମିଲଖା ସିଂହଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ‌ସରିଥିବା ବେଳେ ଏବେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ଏହି ଫିଲ୍ମରେ ମିତାଲିଙ୍କ ଭୂମିକା ତୁଲାଇବେ ଅଭିନେତ୍ରୀ ତାପସୀ ପନ୍ନୁ। ପୂର୍ବରୁ ଏ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ମିତାଲିଙ୍କ ଚରିତ୍ରରେ ତାପସୀ ନଜର ଆସିବେ ବୋଲି ନିଜେ ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି। ମିତାଲିଙ୍କ ଜନ୍ମଦିନର କେକ୍ କାଟିବା ସହ ଫଟୋ ସେୟାର କରି ଏ ନେଇ ସୂଚନା ଦେଇଥିଲେ ତାପସୀ। ଫଟୋ ସେୟାର କରିବା ସହ କ୍ୟାପସନରେ, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଅଧିନାୟକ ମିତାଲି ରାଜ। ତୁମେ ଆମେ ସମସ୍ତଙ୍କୁ ଗର୍ବିତ କରାଇବା ସହ ତୁମ ଜୀବନୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମରେ ତୁମ ଚରିତ୍ରର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆଶା କରୁଛି, ତୁମେ ପରଦାରେ ମୋ ଭିତରେ ନିଜକୁ ଦେଖି ପାରିବ। ଫିଲ୍ମର ନାଁ ‘ସାବାସ୍ ମିଠୁ’ ରଖାଯାଇଥିବା ବେଳେ ଏହାର ରିଲିଜ୍ ତାରିଖ ସାମ୍ନାକୁ ଆସି ନାହିଁ।

ସମ୍ବନ୍ଧିତ ଖବର