ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଲୋକପ୍ରିୟ ଉପସ୍ଥାପିକା ତବସୁମଙ୍କ ଦେହାନ୍ତ ହୋଇଛି। ତବସୁମ ୭୮ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ତବସୁମଙ୍କ ହୃଦଘାତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ପୁଅ ହୋଶାଙ୍ଗ ଗୋଭିଲ ମା’ ତବସୁମଙ୍କ ଦେହାନ୍ତ ବିଷୟରେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ହୃଦ୍ଘାତ ହେତୁ ଶୁକ୍ରବାର ରାତି ୮.୪୦ ରେ ମା’ଙ୍କର ଦେହାନ୍ତ ହୋଇଛି। ଏହି ଖବରକୁ କାହାକୁ ନଜଣାଇବା ପାଇଁ ମୁଁ ସମସ୍ତଙ୍କୁ କହିଥିଲି। ସେ ରାଜକୁମାରୀ ଭଳି ବିଦାୟ ନେବାକୁ ଚାହୁଁଥିଲେ। ତେଣୁ ତାଙ୍କର ଅନ୍ତିମ ସଂସ୍କାର ପରେ ମୁଁ ଗଣମାଧ୍ୟମକୁ ଏହି ଖବର ଦେଉଛି।
ଏପ୍ରିଲ୍ ୨୦୨୧ରେ ମଧ୍ୟ ତବସୁମ ଗୋବିଲଙ୍କ ଦେହାନ୍ତ ହେବାର ଗୁଜବ ସାମ୍ନାକୁ ଆସିଥିଲା। ମାତ୍ର ପରେ ସେ ନିଜେ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରି ଖବରଟି ମିଛ ବୋଲି କହିଥିଲେ।
/sambad/media/post_attachments/27704b039074bef0f210eda595739b294c715c4fd94095f7d26d7770673d2d7c.jpg)
୧୯୪୭ ମସିହାରେ ତବସୁମ ବେବି ତବସୁମ ନାମରେ ଶିଶୁ କଳାକାର ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଫିଲ୍ମ 'ନରଗିସ'ରୁ ସେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ 'ମେରା ସୁହାଗ', 'ମଝଧାର', 'ବଡି ବେହେନ' ଏବଂ 'ଦିଦାର'ରେ ନଜର ଆସିଥିଲେ। ଭାରତ ରତ୍ନ ଲତା ମଙ୍ଗେସକର ଗାଇଥିବା ଗୀତ 'ବଚପନ କେ ଦିନ୍ ଭୁଲା ନା ଦେନା' ଗୀତଟି ବେବି ତବସୁମଙ୍କ ଉପରେ ଚିତ୍ରଣ କରାଯାଇଥିଲା। ସେ 'ବୈଜୁ ବାବରା' ଚଳଚ୍ଚିତ୍ରରେ ମୀନା କୁମାରୀଙ୍କ ପିଲାଦିନର ଭୂମିକାରେ ମଧ୍ୟ ଅଭିନୟ କରିଥିଲେ।
ପରେ କିଛି ଦିନର ବିରତି ନେଇ ସେ ଦୂରଦର୍ଶନରେ ନିଜର ଟକ୍ ସୋ’ ସହିତ ଫେରିଥିଲେ। ୧୯୭୨ରେ ଆରମ୍ଭ ହୋଇଥିବା ଟକ୍ ସୋ’ ‘ଫୁଲ ଖିଲେ ହେଁ ଗୁଲଶନ ଗୁଲଶନ'ର ଉପସ୍ଥାପିକା ଭାବେ ଘରେ ଘରେ ଲୋକପ୍ରିୟ ହୋଇଥିଲେ । ପ୍ରାୟ ୨୧ବର୍ଷ (୧୯୭୨-୧୯୯୩) ପର୍ଯ୍ୟନ୍ତ ଏହି ସୋ’ ପ୍ରସାରଣ ହୋଇଥିଲା। ତବସୁମ ଏହି ସୋ’ରେ ଅନେକ ସେଲିବ୍ରିଟିଙ୍କ ସାକ୍ଷାତକାର ନେଇଥିଲେ, ଯେଉଁଥିପାଇଁ ଏହା ବହୁତ ଜନାଦୃତ ହୋଇଥିଲା।
୧୯୮୫ରେ ନିର୍ଦ୍ଦେଶକ, ନିର୍ମାତା ଏବଂ ଲେଖକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହାର ନାଁ ଥିଲା 'ତୁମ୍ ପର ହମ୍ କୁର୍ବାନ୍'। ତବସୁମ 'ରାମାୟଣ'ରୁ ଖ୍ୟାତି ଅର୍ଜନ କରିଥିବା ଅଭିନେତା ଅରୁଣ ଗୋଭିଲଙ୍କ ବଡ଼ ଭାଇ ବିଜୟ ଗୋଭିଲଙ୍କୁ ବିବାହ କରିଥିଲେ।