ବଲିଉଡ୍‌ର ଭରସା ତବୁ

ସୁପରଷ୍ଟାର୍ ତବୁ ଏକାକୀ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ରକ୍ଷା କରିଛନ୍ତି। ଏ ବର୍ଷ ଯେଉଁ ମାତ୍ର ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିପାରିଛନ୍ତି (ଭୁଲ ଭୁଲୈୟା-୨ ଓ ଦୃଶ୍ୟମ୍‌-୨) ସେଥିରେ ତବୁ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଉତ୍ତର-ପଚାଶ ବୟସରେ ତବୁ ପ୍ରସିଦ୍ଧିର ଶୀର୍ଷ ହାସଲ କରିବା ଆଉ ଏକ ପ୍ରଶଂସନୀୟ କଥା।

ଏସବୁ ଆମେ କହୁନାହୁଁ। ଆଜିକାଲି ଅନ୍ୟମାନଙ୍କୁ ସମାଲୋଚନା କରି ବିବାଦରେ ରହୁଥିବା ଅଭିନେତ୍ରୀ କଙ୍ଗନା ରଣାଵତ ବହୁ ଦିନ ପରେ ଜଣେ ଅଭିନେତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ନିକଟରେ କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ତବୁଙ୍କ ସମ୍ପର୍କରେ ଏକ ଦୀର୍ଘ ଲେଖା ପ୍ରକାଶ କରିଥିଲେ। ସେଥିରେ ୫୨ ବର୍ଷୀୟା ତବୁଙ୍କ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ କଙ୍ଗନା ସ୍ତୁତି ପାଠ କରିଛନ୍ତି। ତବୁ ବଲିଉଡ୍‌ର ଏଭଳି ଜଣେ ବିରଳ ଅଭିନେତ୍ରୀ ଯାହାଙ୍କ ଦକ୍ଷତା ଓ ସିଦ୍ଧି ହେଉଛି ପ୍ରଶ୍ନାତୀତ। କଙ୍ଗନା ଏହିସବୁ କାରଣରୁ ତବୁଙ୍କୁ ନିଜର ପ୍ରେରଣା ବୋଲି ସ୍ବୀକାର କରିଛନ୍ତି ଓ ଲେଖିଛନ୍ତି ଯେ ମହିଳାମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସମ୍ପାଦନା ଲାଗି ଅଧିକ ଶ୍ରେୟ ମିଳିବା ଉଚିତ। ଗତ ସପ୍ତାହରେ ମୁକ୍ତିଲାଭ କରିଥିବା ‘ଦୃଶ୍ୟମ୍‌-୨’ରେ ତବୁଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧୫.୩୮ କୋଟି ଟଙ୍କା ଆୟ କରି ଏ ବର୍ଷର ଦ୍ବିତୀୟ ସର୍ବୋଚ୍ଚ ଆୟକରୀ ମୁକ୍ତିଲାଭର ମାନ୍ୟତା ପାଇଛି।

ସେହିପରି ପୂର୍ବରୁ ମୁକ୍ତିଲାଭ କରିଥିବା ତବୁଙ୍କ ‘ଭୁଲ ଭୁଲୈୟା-୨’ ପ୍ରଥମ ଦିନରେ ୧୪ କୋଟି ଟଙ୍କା ଆୟ କରିଥିଲା। ଏହା ସମୁଦାୟ ୨୬୬ କୋଟି ଟଙ୍କା ଆୟ କରି ୨୦୨୨ର ଅନ୍ୟତମ ସର୍ବୋଚ୍ଚ ଆୟକରୀ ଚଳଚ୍ଚିତ୍ର ହୋଇଥିଲା।

ସମ୍ବନ୍ଧିତ ଖବର