ଏହି ଲୋକପ୍ରିୟ ନାୟକଙ୍କ ନାୟିକା ବନିନାହାନ୍ତି ତମନ୍ନା

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଅନ୍ୟତମ ଲୋକପ୍ରିୟ ନାୟିକା ତମନ୍ନା ସଂଜୟ ନାୟକଙ୍କ ନିର୍ଦେଶିତ ଓଡ଼ିଆ ପିଲ୍ମ ‘ଜୋକର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିନ୍ତୁ ଏହି ଫିଲ୍ମଟି ଅଧାରେ ଅଟକି ରହିଛି। ତେବେ ତମନ୍ନାଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା ହେଲା ସଂଜୟ ନାୟକଙ୍କ ନିର୍ଦେଶିତ ‘ଭାଇନା କ’ଣ କଲା ସେ’। ଏଥିରେ ନବାଗତ ବାଳକୃଷ୍ଣଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ତା’ପରେ ତମନ୍ନାଙ୍କୁ ‘ନିଝୁମ୍‌ ରାତିର ସାଥୀ’ ସିନେମାରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ। ଏହାପରେ ଆଉ ଅଟକିନାହାନ୍ତି ତମନ୍ନା। ତାଙ୍କୁ ନିୟମିତ ଭାବେ ସିନେମାରେ ଦେଖିବାକୁ ମିଳୁଛି।

ବାବୁସାନ୍, ଅନୁଭବ ଓ ସବ୍ୟସାଚୀଙ୍କ ଭଳି ଆଗଧାଡ଼ିର ନାୟକଙ୍କ ସହିତ କାମ କରିଛନ୍ତି ତମନ୍ନା । ସେ ଅନୁଭବଙ୍କ ସହ ‘ପ୍ରେମ କୁମାର’, ବାବୁସାନଙ୍କ ସହ ‘ଗୋଲମାଲ୍ ଲଭ୍’ ଏବଂ ସବ୍ୟସାଚୀଙ୍କ ସହ ‘ଲକିର ଲକଡାଉନ୍ ଲଭ୍ ଷ୍ଟୋରି’ ଆଦି ସିନେମାରେ କାମ କରିଛନ୍ତି। ଏହାଛଡ଼ା ସେ ଜ୍ୟୋତି ଓ ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ବି ନାୟିକା ଭୂମିକାରେ ତମନ୍ନା ନଜର ଆସିଛନ୍ତି। ଏଣେ ଜଣାଶୁଣା ନାୟକ ଅମ୍ଳାନଙ୍କ ସହ ତାଙ୍କର ଏକ ଓଡ଼ିଆ ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି।


ହେଲେ ଏଯାବତ୍ ଆଉ ଜଣେ ଲୋକପ୍ରିୟ ନାୟକଙ୍କ ନାୟିକା ହେବାର ତାଙ୍କୁ ସୁଯୋଗ ମିଳିନାହିଁ। ଏହି ନାୟକଜଣକ ହେଲେ ଅରିନ୍ଦମ୍। ଇତିମଧ୍ୟରେ ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ନମ୍ରତା, ଶୀତଲ୍, ରୀୟା, ପ୍ରିୟା, ଏଲିନା ଓ ଶିବାନୀଙ୍କ ଭଳି ନାମୀ ନାୟିକାଙ୍କ ସହ ଅରିନ୍ଦମ୍ କାମ କରିଛନ୍ତି। କିନ୍ତୁ ତମନ୍ନାଙ୍କ ସହ ଏଯାବତ୍ ବଡ଼ ପରଦାରେ ଦେଖା ଦେଇନାହାନ୍ତି ଅରିନ୍ଦମ୍। କେବେ ପରଦାକୁ ଅରିନ୍ଦମ୍-ତମନ୍ନାଙ୍କ ଯୋଡ଼ି ଆସିବେ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର