ତେଲୁଗୁ ସିନେମାରେ ଓଲିଉଡ ନାୟିକା ତମନ୍ନା

ଭୁବନେଶ୍ବର: ରିଆଲିଟି ସୋ’ରୁ ସିନେମାରେ ନାୟିକା ହେବାର ସୁଯୋଗ ପାଇଥିବା ଓଲିଉଡରେ ସଫଳତା ହାସଲ କରିଥିବା ତମନ୍ନାଙ୍କୁ ମିଳିଛି ଏକ ତେଲୁଗୁ ସିନେମା। ଏହାର ଟାଇଟଲ୍ ହେଲା ‘ଭେଇ ଶୁଭାମୁଲୁ କାଲୁଗୁ ନେକୁ’ | ଏହି ତେଲୁଗୁ ସିନେମାର ମହୁରତର ଫଟୋ ସେଆର୍ କରି ତମନ୍ନା ସମସ୍ତଙ୍କର ସମର୍ଥନ ଏବଂ ଆଶୀର୍ବାଦ ଲୋଡିଛନ୍ତି| ଏହି ତେଲୁଗୁ ସିନେମାର ସୁଟିଂ ବି ଜୋରସୋରରେ ଚାଲିଥିବା ଜଣାଯାଇଛି। ଏହା ପୂର୍ବରୁ ଓଲିଉଡ ନାୟିକା ଅନୁ ଚୌଧୁରୀ ବି ତେଲୁଗୁ ସିନେମାରେ ଅଭିନୟ କରିଥିଲେ। ଏହାଛଡ଼ା ସବ୍ୟସାଚୀ ଓ ସମ୍ବିତଙ୍କ ଭଳି ଓଡ଼ିଆ ସିନେମାର ନାୟକମାନେ ବି ନିକଟରେ ତେଲୁଗୁ ସିନେମାରେ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ, ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ରେ ତମନ୍ନା ବ୍ରେକ୍ ପାଇଥିଲେ, କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା। ସେ ଯାହା ହେଉନା କାହିଁକି ତମନ୍ନା ଏବେ ଓଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି। ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’, ‘ନିଝୁମ୍ ରାତିର ସାଥୀ, ‘ପ୍ରେମ କୁମାର’, ‘ବ୍ଲାକମେଲ୍’ ,‘ଗୋଲମାଲ୍ ଲଭ୍,’ ‘ପ୍ରେମ ତୋର ନଟି ନଟି’ ଆଦି ସିନେମାରେ ନାୟିକା ବନି ସାରିଲେଣି।

ଏଣେ ତାଙ୍କ ଅଭିନୀତ କେତୋଟି ଓଡ଼ିଆ ସିନେମା ରିଲିଜ୍ ଅପେକ୍ଷାରେ ରହିଛି। ଏଥିମଧ୍ୟରେ ରହିଛି ‘ସୁପର ବୟ’, ‘ରୋମିଓ ରାଜା’ ଓ ‘ଲକିର ଲଭଷ୍ଟୋରି’। ଏଥିମଧ୍ୟରୁ ପ୍ରଥମଟିରେ ଜ୍ୟୋତି , ଦ୍ବିତୀୟରେ ଅମ୍ଳାନ ଓ ତୃତୀୟରେ ସବ୍ୟସାଚୀଙ୍କ ସହ ନଜର ଆସିବେ ତମନ୍ନା।

ସମ୍ବନ୍ଧିତ ଖବର