ବଲିଉଡ-ଦକ୍ଷିଣ ଫିଲ୍ମକୁ ନେଇ ଚାଲୁଥିବା ବିବାଦ ମଧ୍ୟରେ ବିଦେଶର ଉଦାହରଣ ଦେଇ ପ୍ରତିକ୍ରିୟା ଦେଲେ ତମନ୍ନା

ନୂଆଦିଲ୍ଲୀ: କିଛି ଦିନ ହେଲା ଦକ୍ଷିଣ ଚଳଚ୍ଚିତ୍ରକୁ ଦର୍ଶକ ଅଧିକ ପସନ୍ଦ କରିବା ସହ ବଲିଉଡ ତୁଳନାରେ ଦକ୍ଷିଣ ଫିଲ୍ମକୁ ଅଧିକ ସଫଳତା ମିଳୁଛି। ଏନେଇ ସାଉଥ ଇଣ୍ଡଷ୍ଟ୍ରି ସହ ବଲିଉଡକୁ ତୁଳନା କରାଯାଉଛି। ଏହାକୁ ନେଇ ଅନେକ ବିତର୍କ ଆରମ୍ଭ ହୋଇଥିବା ବେଳେ ଅନେକ କଳାକାର ନିଜର ମତ ଦେଇସାରିଛନ୍ତି। ଅନ୍ୟପକ୍ଷରେ, ବଲିଉଡ ବନାମ ସାଉଥ ସିନେମାର ବିତର୍କରେ ସୋସିଆଲ ମିଡିଆରେ ଲୋକମାନେ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ଏବେ ଅଭିନେତ୍ରୀ ତମନ୍ନା ଭାଟିଆ ଏହି ପ୍ରସଙ୍ଗରେ ନିଜର ନିରବତା ଭାଙ୍ଗିଛନ୍ତି। ସାଉଥ୍ ବନାମ ବଲିଉଡର ତୁଳନା ବିଷୟରେ ତମନ୍ନା କହିଛନ୍ତି ଯେ ଆମେ ହିଁ ଏହାକୁ ଆରମ୍ଭ କରିଛୁ ଏବଂ ଆମେ ଏହାକୁ ଏକ ଭିନ୍ନ ଦୃଷ୍ଟିରୁ ଦେଖୁଛୁ। ବିଦେଶରେ କେହି ଏଭଳି ଚିନ୍ତା କରୁନାହାନ୍ତି।

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ତମନ୍ନା ଭାଟିଆ କହିଛନ୍ତି ଯେ ଦିଆଯାଇଥିବା ପ୍ରତିକ୍ରିୟାକୁ ଭୁଲ୍ ଭାବରେ ଗ୍ରହଣ କରାଯାଇଥିଲା। ଏହା ପରେ ହଠାତ୍ ଦକ୍ଷିଣ ଏବଂ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟରେ ତୁଳନା ଆରମ୍ଭ ହୋଇଥିଲା। ହେଲେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସମଗ୍ର ବିଶ୍ୱ ଏହାକୁ ଭାରତୀୟ ସିନେମା ଭାବରେ ଦେଖେ। ଯେତେବେଳେ ମୁଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲି, ସେତେବେଳେ ମୁଁ ଜାଣିଲି ଯେ ବାହାର ଲୋକ ଏହାକୁ କିପରି ଦେଖନ୍ତି। ଅନେକ ଭାରତୀୟ ଭାଷାର ଫିଲ୍ମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା। ସେଠାରେ ଭାଷା ଅନୁଯାୟୀ କେହି ଫିଲ୍ମକୁ ଚିହ୍ନୁନଥିଲେ। ସେଠାରେ ସବୁ ଭାଷାର ଫିଲ୍ମକୁ ଭାରତୀୟ ଫିଲ୍ମ ବୋଲି କୁହାଯାଉଥିଲା।

ସମ୍ବନ୍ଧିତ ଖବର