ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ବାଜିମାତ୍ କଲେ ଅଜୟ ଦେବଗନ୍

ମୁମ୍ବାଇ: ବଲିଉଡର ଦକ୍ଷ ଅଭିନେତା ଅଜୟ ଦେବଗନ୍ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ଦେଲେ। ଏକଥା ଆମେ କହୁ ନାହୁଁ, ଏହା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ଓ ଦୀପିକା ପାଦୁକୋନଙ୍କ ‘ଛପାକ୍’ର ପ୍ରଥମ ଦିନର ବକ୍ସ ଅଫିସ୍ ରିପୋର୍ଟ କହୁଛି।

ମିଳିଥିବା ସୂଚନା ଅନୁଯାୟୀ, ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ପ୍ରଥମ ଦିନ ୧୫.୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ଅପରପକ୍ଷରେ ଦୀପିକା ପାଦୁକୋନଙ୍କ ‘ଛପାକ୍’ ପ୍ରଥମ ଦିନ ୪.୨୫ କୋଟି ଟଙ୍କାର ବ୍ୟବସାୟ କରିଛି। କହିବାକୁ ଗଲେ, ‘ତାଣାଜୀ’ ଆଶାଠାରୁ ଅଧିକ ବ୍ୟବସାୟ କରିଛି , କିନ୍ତୁ ‘ଛପାକ୍’ ଢ଼େର୍ କମ୍ ଆୟ କରିଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ମୁକ୍ତିଲାଭ କରିଥିବା ଉକ୍ତ ଦୁଇଟି ହିନ୍ଦୀ ଫିଲ୍ମ ମଧ୍ୟରେ ଚାଲିଛି ଜୋରଦାର ଟକ୍କର୍ । ଦୁଇଟି ଭିନ୍ନ ସ୍ୱାଦର ସିନେମା ଏକା ଦିନରେ ପରଦାକୁ ଓହ୍ଲାଇଥିବା କାରଣରୁ ଏପରି କୁହାଯାଉଛି ।

Photo-Timesnow

ଐତିହାସିକ ବିଷୟବସ୍ତୁରେ ନିର୍ମିତ ଫିଲ୍ମ ‘ତାଣାଜୀ’ ମରାଠା ଓ ମୋଗଲ ଶାସକଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ନିର୍ମିତ ହୋଇଛି । ଏହି ବ୍ୟୟବହୁଳ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜୋଲ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓମ ରାଉତ । ଐତିହାସିକ କାହାଣୀ ଆଧାରିତ ସିନେମା ତାଣାଜୀରେ ଏହି ତିନି କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସୁଛି ।
ଅଜୟ ଦେବଗନ ଓ କାଜୋଲ ୫ ବର୍ଷର ବ୍ୟବଧାନ ପରେ ଏକାଠି ଅଭିନୟ କରିଛନ୍ତି ତାଣାଜୀରେ । ଏହା ଅଜୟ ଦେବଗନଙ୍କର ୧୦୦ତମ ସିନେମା ହୋଇଥିବାରୁ ଫିଲ୍ମଟି ସଫଳତା ପାଇବ ବୋଲି ଆଶା ରଖିଛି ପୂରା ଟିମ୍ ।
ଅନ୍ୟପଟେ ସତ୍ୟକାହାଣୀ ଉପରେ ନିର୍ମିତ ହୋଇଛି ‘ଛପାକ୍’ । ଦିଲ୍ଲୀର ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂର୍ଘଷର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ଛପାକ୍’ । ଏହାର ନିର୍ଦ୍ଦେଶିକା ମେଘନା ଗୁଲଜାର । ଏଥିରେ ଦୀପିକା ପାଦୁକୋନ୍ ଓ ବିକ୍ରାନ୍ତ ମାସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର