ମୁମ୍ବାଇ:  'ମୋତେ ମୋ ଘରେ ହଇରାଣ କରାଯାଉଛି। ବହୁତ ସହିଲିଣି। ଆଉ ହେବନି। ମୋତେ ସାହାଯ୍ୟ କରନ୍ତୁ।' କାନ୍ଦି କାନ୍ଦି ଭିଡିଓରେ ଏଭଳି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ସେ ଦାବି କରିଛନ୍ତି ଯେ, ତାଙ୍କୁ ଗତ ୪-୫ ବର୍ଷ ଧରି ତାଙ୍କ ଘରେ ନିର୍ଯାତନା ଦିଆଯାଉଛି। ଏନେଇ ତାଙ୍କୁ ମଙ୍ଗଳବାର ଦିନ ପୁଲିସକୁ ଫୋନ୍ କରିବାକୁ ପଡିଥିଲା। ସୂଚନା ପାଇ ପୁଲିସ ଆସିଥିଲା ଏବଂ ତାଙ୍କୁ ଉପଯୁକ୍ତ ଉପାୟରେ ଅଭିଯୋଗ କରିବାକୁ କହିଥିଲା ବୋଲି ଅଭିନେତ୍ରୀ କହିଛନ୍ତି। ଏହା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ ବୋଲି ସେ ଜଣାଇଛନ୍ତି।

Advertisment

ତନୁଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ କାନ୍ଦୁଥିବାର ଦେଖାଯାଉଛି। ଭିଡିଓ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, "ମୁଁ ଏହି ନିର୍ଯାତନା ସହି ସହି ବିରକ୍ତ ହୋଇଗଲାଣି !! ଏହା ୨୦୧୮ ମସିହାରୁ ଚାଲିଛି। ହ୍ୟାସଟ୍ୟାଗ୍ ମିଟୁ। ଆଜି ବିରକ୍ତ ହୋଇ ମୁଁ ପୁଲିସକୁ ଫୋନ୍ କଲି। ଦୟାକରି କେହି ମୋତେ ସାହାଯ୍ୟ କରନ୍ତୁ। ବହୁତ ବିଳମ୍ବ ହେବା ପୂର୍ବରୁ କିଛି କରନ୍ତୁ।" 

"ମୁଁ ଏବେ ଭଲ ନାହିଁ। ଗତ ୪-୫ ବର୍ଷ ମଧ୍ୟରେ ମୁଁ ଏତେ ହଇରାଣର ଶିକାର ହୋଇଛି ଯେ ମୋର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ମୁଁ କୌଣସି କାମ କରିପାରୁନାହିଁ। ମୋ ଘର ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭାବେ ପଡ଼ିଛି। ନିଜ ଘରେ ମୁଁ ଚାକର ରଖିପାରୁନି। କାରଣ ସେମାନେ ନିଜ ହିସାବରେ ଚାକର ରଖିଛନ୍ତି, ଯେଉଁମାନେ ମୋ ଘରୁ ଅଧା ଜିନିଷ ଚୋରି କରି ନେଲେଣି। ଅଧିକ ବିଳମ୍ବ ହେବା ପୂର୍ବରୁ ମୋତେ ସାହାଯ୍ୟ କରନ୍ତୁ" ବୋଲି ଭିଡିଓରେ କାନ୍ଦି କାନ୍ଦି କହିଛନ୍ତି ତନୁଶ୍ରୀ।

ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ଲୋକେ ପୁଲିସ ଓ ବଲିଉଡକୁ ଅନୁରୋଧ କରିଛନ୍ତି। ଏହା ସହ ଅଭିନେତ୍ରୀ ମିଛ କହୁଛନ୍ତି ଏବଂ ଅଭିନୟ କରୁଛନ୍ତି ବୋଲି କିଛି ଲୋକ ଦାବି କରିଛନ୍ତି।